ସିରିଆ ଭଗ୍ନସ୍ତୁପ ତଳୁ ମିଳିଲା ଜୀବନ: ଭଗ୍ନ ବିଲ୍ଡିଂ ତଳୁ ବାହାରିଲା ମୃତ ମା’ ସହ ଗର୍ଭନାଡ ସଂଯୋଗ ଥିବା ଜୀବନ୍ତ ଶିଶୁ
ବଡ଼ ଦୁଃଖ ଦେଇଗଲା ଭୂକମ୍ପ, ଯାହା କିଏ କେବେ କଳ୍ପନାରେ ସୁଦ୍ଧା ଭାବିନଥିବେ। ଘଟଣା ପରେ ବଢୁଛି ଯନ୍ତ୍ରଣା। ଦିନକୁ ଦିନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । କେବଳ ତୁର୍କୀରେ ୫ହଜାର ୮୯୪ ଜଣଙ୍କର ଜୀବନ ଯାଇଛି । ସିରିଆରେ ଏହି ସଂଖ୍ୟା ୧ହଜାର ୯୩୨ । କୁହାଯାଉଛି ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ତେବେ ବର୍ତ୍ତମାନ ଧ୍ୱଂସାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍ । ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେବ।
କଥାରେ ଅଛି ରଖିଲେ ହରି ମାରିବ କିଏ? ଯାହାର ଜୀବନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ସିରିଆ ଭଗ୍ନସ୍ତୁପ ତଳୁ ମିଳିଛି ଜୀବନ। ଭଗ୍ନ ବିଲ୍ଡିଂ ତଳୁ ବାହାରିଛି ସଦ୍ଯ ନବଜାତ ଶିଶୁ । ଆପଣମାନେ ତ ଜାଣିଛନ୍ତି ଉତ୍ତର-ପଶ୍ଚିମ ସିରିଆରେ ଭୂମିକମ୍ପରେ ଉଜୁଡି ଯାଇଛି ବହୁ ଘର। କେତେ ପରିବାର ଛାରଖାର ହୋଇଯାଇଛି । ସିରିଆ ଜିନଦାୟିରିସ ସହରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ହେଲେ ରହିଯାଇଛି ଏହି ନବଜାତ ଶିଶୁ କନ୍ୟା। ଏକ ଭଙ୍ଗା ବିଲ୍ଡିଂ ତଳୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଭୂମିକମ୍ପ ପୂର୍ବରୁ ନବଜାତକ ମାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରସବ ପରେ ମହିଳା ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏପରିକି ନବଜାତ ଝିଅର ବାପା ଓ ଚାରି ଭାଇ ଭଉଣୀଙ୍କ ମଧ୍ୟ ଭୂମିକମ୍ପରେ ମୃତ୍ୟୁ ହୋଇଯାଇଛି।
ଜୀବନ କ’ଣ ଜାଣିବା ପୂର୍ବରୁ ଅନାଥ ହୋଇଯାଇଛି ନବଜାତ ଶିଶୁଟି। ଉଦ୍ଧାରକାରୀ ଦଳ ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏବେ ଶିଶୁ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଯାହା ଖବର ମିଳିଛି ସିରିଆ ଜିନଦାୟିରିସ ସହରରେ ୫୦ଟି ବିଲ୍ଡିଂ ମାଟିରେ ମିଶିଯାଇଛି। ସେଥିମଧ୍ୟରୁ ନବଜାତ ଶିଶୁ ଓ ତା’ର ପରିବାର ଗୋଟିଏ ବିଲ୍ଡିଂରେ ରହୁଥିଲେ। ବିଲ୍ଡିଂ ଭୁଶୁଡି ପଡିବା ଜଣାପଡିବା ପରେ ସମ୍ପର୍କୀୟ ମାନେ ସେଠାକୁ ଧାଇଁ ଆସିଥିଲେ। ଭଙ୍ଗା ବିଲ୍ଡିଂ ତଳୁ ଶୁଭୁଥିଲା ଛୋଟ ଶିଶୁର କାନ୍ଦ। ଭଗ୍ନାବଶେଷ ସଫା କରି ନବଜାତକକୁ ଉଦ୍ଧାର କରାଯାଇଥିଲା।
The moment a child was born 👶 His mother was under the rubble of the earthquake in Aleppo, Syria, and she died after he was born , The earthquake.
May God give patience to the people of #Syria and #Turkey and have mercy on the victims of the #earthquake#الهزه_الارضيه #زلزال pic.twitter.com/eBFr6IoWaW— Talha Ch (@Talhaofficial01) February 6, 2023
ସବୁଠାରୁ ଦୁଃଖଦ କଥା ଉଦ୍ଧାର କରିବା ସମୟରେ ମା’ ସହ ଶିଶୁର ଗର୍ଭନାଡ ସଂଯୋଗ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ଅନେକ ଘଟଣା ଭୂକମ୍ପ ପରେ ତୁର୍କୀ ଓ ସିରିଆରେ ଦେଖିବାକୁ ମିଳିଛି। ନିଜ ପ୍ରିୟଜନଙ୍କୁ ଖୋଜୁଥିବାର ଲୋମଟାଙ୍କୁରା ଦୃଶ୍ୟ ସାରା ବିଶ୍ୱ ଆଖିରେ ଲୁହ ଭରିଦେଇଛି । ୩ ମାସ ପାଇଁ ତୁର୍କୀରେ ଏମର୍ଜେନ୍ସୀ ଜାରି ହୋଇଛି। ମାଟିରେ ମିଶିଯାଇଛି ଶହଶହ ବର୍ଷର ଅନେକ ଐତିହ୍ୟ । ସୂଚନା ଥାଉକି, ଗତ ୨୪ ଘଣ୍ଟାରେ ଅନୁଭୂତ ହୋଇଥିଲା ୪ଟି ଭୂକମ୍ପର ଝଟକା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ ହୋଇଥିଲା ।