ଇନ୍ଦୋର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ପୋଡ଼ି ହୋଇଗଲେ ୫ ଶ୍ରମିକ

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବାଣ କାରଖାନାରେ ଗତକାଲି ଦ୍ୱିପ୍ରହର ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି ।

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବାଣ କାରଖାନାରେ ଗତକାଲି ଦ୍ୱିପ୍ରହର ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଇନ୍ଦୋରର ଚୋଇଥରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଇନ୍ଦୋରର ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ମହାରାଷ୍ଟ୍ର ଯବତମାଲ ଜିଲ୍ଲାର ବାସିନ୍ଦା ।

ଡିଏସ୍‌ପି ଉମାକାନ୍ତ ଚୌଧୁରୀଙ୍କ ଅନୁସାରେ, ମହୁ ଅଞ୍ଚଳର ଅମ୍ବାଚନ୍ଦନ ଗାଁଠାରୁ ପ୍ରାୟ ୫ କିମି ଦୂର ଏହି ବାଣ କାରଖାନାରେ ସୁତୁଲି ବୋମା ତିଆରି ଚାଲିଥିଲା । ଏହି ସମୟରେ ହଠାତ୍‌ ବିସ୍ଫୋରଣ ହେବାରୁ ୫ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।

ଖବର ପାଇ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ବିସ୍ଫୋରଣର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଡିଏସ୍‌ପି କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଇନ୍ଦୋର ସଂଲଗ୍ନ ରାଉ ସହରର ବାସିନ୍ଦା ଶାକିର ଖାନ ଏହି ବାଣ କାରଖାନାକୁ ଚଲାଉଥିଲେ ।

କୁହାଯାଉଛି ଯେ ହରଦାରେ ହୋଇଥିବା ଦୁର୍ଘଟଣା ପରେ ପ୍ରଶାସନ ଫ୍ୟାକ୍ଟ୍ରିର ଅନୁମତି ପୂର୍ବରୁ ହିଁ ରଦ୍ଦ କରି ଦେଇଥିଲେ । ଏହା ସତ୍ତ୍ୱେ ବିନା ଅନୁମତିରେ ଶ୍ରମିକମାନେ ଏଠାରେ ବାଣ ତିଆରି କରୁଥିଲେ । ଇନ୍ଦୋର ଜିଲ୍ଲାପାଳ ଆଶିଷ ସିଂ ହସ୍ପିଟାଲ ଯାଇ ଆହତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ସୂଚନା ଅନୁସାରେ, ଏହି ବାଣ କାରଖାନା ଏକ ଜଙ୍ଗଲିଆ ପରିବେଶ ମଧ୍ୟରେ ଚାଲିଥିଲା । ଏହାର ପରିସରରେ ୮ଟି ଭିନ୍ନ ଭିନ୍ନ ଶେଡ୍‌ରେ ପାଖାପାଖି ୧୨ରୁ ୧୩ ଜଣ ଶ୍ରମିକ କାମ କରୁଥିଲେ । ସେଥିମଧ୍ୟରୁ ଗୋଟିଏ ଶେଡ୍‌ରେ ବିସ୍ଫୋରଣ ଘଟି ଶ୍ରମିକମାନେ ଆହତ ହୋଇଥିଲେ । ତେବେ କାରଖାନା ପରିସରରେ ନିଆଁକୁ ଆୟତ୍ତ କରିବାର ଉପକରଣ ମହଜୁଦ ଥିଲା । ଅଧିକାରୀ କହିଛନ୍ତି ଯେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହାର ପତ୍ତା ଲଗାଇବା ପାଇଁ ଯାଞ୍ଚ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.