Below header

ବିବାହ କରିପାରିବନି ଆବୁ ସାଲେମ୍ : ଡନକୁ ଝଟକା ଦେଲେ ହାଇକୋର୍ଟ

ଆବୁ ସାଲେମକୁ ହାଇକୋର୍ଟଙ୍କ ଝଟକା । ଅଧାରେ ରହିଗଲା ଡନର ବିବାହ ସ୍ବପ୍ନ । ଅନୁମତି ଦେଲେନି ବମ୍ବେ ହାଇକୋର୍ଟ । ବିବାହ ପାଇଁ ୪୫ ଦିନ ପାରୋଲରେ ଯିବାକୁ ଅନୁମତି ମାଗିଥିଲା ମୁମ୍ବାଇ ବମ୍ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । ହେଲେ ଏହାକୁ ଖାରଜ କରିଦେଲେ ବମ୍ବେ ହାଇକୋର୍ଟ । ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଟାଡା କୋର୍ଟ ଏବଂ ଚଳିତ ବର୍ଷ ତଲୋଜା ଜେଲ୍ ପ୍ରାଧିକରଣ ଡନର ପାରୋଲ୍ ଆବେଦନକୁ ଖାରଜ କରି ସାରିଛନ୍ତି । ତେବେ ସୁରକ୍ଷା କାରଣରୁ ଲଗାତାର ତିନି ଥର ଆବୁ ସାଲେମର ପାରୋଲ୍ ଆବେଦନ ଖାରଜ ହୋଇଛି ।

ସାଲେମକୁ ଏବେ ୫୦ ବର୍ଷର ହୋଇଥିବା ବେଳେ ବହାର କୌସରଙ୍କ ବୟସ ହେଉଛି ୨୦ ବର୍ଷ । ରିପୋର୍ଟ ଅନୁସାରେ, କୋର୍ଟରେ ହାଜର ହେବା ସମୟରେ କୌସରଙ୍କ ସହ ସାଲେମର ଦେଖା ହୋଇଥିଲା । ଆଉ ଧୀରେ ଧୀରେ ପ୍ରେମ ହୋଇଥିଲା । ଗତବର୍ଷ ପୋଲିସ୍ କଷ୍ଟୋଡିରେ ଉଭୟଙ୍କ ଦେଖାହୋଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଲକ୍ଷ୍ନୌ ଯିବା ସମୟରେ କୌସରଙ୍କୁ ଟ୍ରେନରେ ବିବାହ କରିଥିଲା ଆବୁ ସାଲେମ୍ । ଯେଉଁଥିରେ ସାକ୍ଷୀ ଦୁଇ ଜଣ ପୋଲିସ୍ ଏବଂ ତାର ଭଣଜା ରସିଦ୍ ଅନସାରୀ ଥିଲା । କୁହାଯାଏ କୌସର୍ ଏବେ ଡନର ବ୍ୟବସାୟ ସମ୍ଭାଳୁଛନ୍ତି ।

ଡନ୍ ଆବୁ ସାଲେମର ଏହା ହେଉଛି ତୃତୀୟ ବିବାହ । ଏହା ପୂର୍ବରୁ ସମୀରା ନାମକ ଜଣେ ମହିଳାଙ୍କୁ ଛାଡପତ୍ର ଦେଇସାରିଛି ଆବୁ ସାଲେମ୍ । ଏହା ସହ ଅଭିନେତ୍ରୀ ମୋନିକା ବେଦୀଙ୍କୁ ବିବାହ କରିଥିବା ଚର୍ଚ୍ଚା ହୋଇଥିଲା । ଯଦିଓ ଏକଥାକୁ ଉଭୟ ଅସ୍ବୀକାର କରିଥିଲେ କିନ୍ତୁ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି ମୋନିକା ।

କୁହାଯାଉଛି କୌସରଙ୍କ ସହ ବିବାହକୁ ଆଇନଗତ କରିବାକୁ ଚାହେଁ ଡନ୍ । ଅନ୍ୟପଟେ କୌସରଙ୍କ କହିବା ଅନୁଯାୟୀ ୨୦୧୪ରେ ଆବୁ ସାଲେମକୁ ଟ୍ରେନରେ ବିବାହ କରିବା କଥା ଏକ ଗୁଜବ ଥିଲା । କିନ୍ତୁ ଏହି ଗୁଜବ ତାଙ୍କ ଜୀବନ ନଷ୍ଟ କରିଦେଇଛି । ତେଣୁ ଏବେ ଆବୁ ସାଲେମକୁ ବିବାହ କରିବା ଛଡା ଦ୍ବିତୀୟ ବିକଳ୍ପ ନାହିଁ ବୋଲି କହିଛନ୍ତି କୌସର୍ । ଯଦି ବିବାହ ନକରନ୍ତି ତେବେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.