ବଳଦ କାହାର: ମହାରାଷ୍ଟ୍ରରେ ମାଲିକାନା ଅଧିକାର ସାବ୍ୟସ୍ତ କରିବା ପାଇଁ ବଳଦର ହେବ DNA ଟେଷ୍ଟ !

ଏ ପର୍ଯ୍ୟନ୍ତ ଆପଣ ମଣିଷର ଡିଏନଏ ଟେଷ୍ଟ ହେବା କଥା ଶୁଣିଥିବେ। କିନ୍ତୁ ମହାରାଷ୍ଟ୍ରରେ ଏକ ବଳଦର ଡିଏନଏ ଟେଷ୍ଟ ହେବା ନେଇ ଖବର ସାମ୍ନାକୁ ଆସିଛି। ବଳଦର ମାଲିକାନାକୁ ନେଇ ହୋଇଥିବା ବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ବୁଲଢଣା ଅଞ୍ଚଳରେ।

h

ସୂଚନା ମୁତାବକ, ଏଠାରେ ଏକ ବଳଦର ମାଲିକାନାକୁ ନେଇ ୨ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଧୀରେ ଧୀରେ ଏହା ଏତେ ବଢିଯାଇଥିଲା ଯେ ଶେଷରେ ବଳଦଟି କାହାର ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଇବାକୁ ପଡ଼ିଛି। କୁହାଯାଉଛି, ଗତ ୯ ସେପ୍ଟେମ୍ବର ବିଳମ୍ବିତ ରାତିରେ କିଛି ଲୋକ ଏକ ବଳଦକୁ ଜୋର ଜବରଦସ୍ତ ଧରି କେଉଁଆଡ଼େ ନେଇଯାଉଥିଲେ। ଏହି ସମୟରେ ଘଟଣାସ୍ଥଳରେ ଅନ୍ୟ ଜଣେ ବ୍ୟକ୍ତି ପହଞ୍ଚି ଉକ୍ତ ବଳଦ ମୋର ବୋଲି କହିଥିଲେ।

o

ଏହାକୁ କାହିଁକି ଏବଂ କେଉଁଆଡ଼େ ନେଇଯାଉଛ ବୋଲି ପଚାରିବାରୁ ଉଭୟ ପକ୍ଷରୁ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ବିବାଦ ବଢ଼ି ଥାନାରେ ପହଞ୍ଚିଥିଲା। ଦୁଇ ପକ୍ଷ ହିଁ ଉକ୍ତ ବଳଦକୁ ନିଜର ବୋଲି ଦାବି କରିଥିଲେ। ପୋଲିସ ଏହି ସମସ୍ୟାର ସମାଧାନ କରିବାକୁ ଯାଇ ବଳଦର ଡିଏନଏ ଟେଷ୍ଟ କରାଇବା ପାଇଁ ନିଷ୍ପତ୍ତି ନେଇଥିଲା। ପୋଲିସ ଅଧିକାରୀମାନେ ପଶୁ ବିଭାଗ ଅଧିକାରୀଙ୍କୁ ବଳଦର ଡିଏନଏ ଟେଷ୍ଟ କରିବା ପାଇଁ ପତ୍ର ଲେଖିଛନ୍ତି।