ଇତିହାସ ରଚିଲା ଇସ୍ରୋ: ଚନ୍ଦ୍ରକକ୍ଷରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨, ଆସନ୍ତା ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବ

ନୂଆଦିଲ୍ଲୀ(କେନ୍ୟୁଜ୍): ଇତିହାସ ରଚିଲା ଇସ୍ରୋ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨। ସକାଳ ୯ଟା ୨ ମିନିଟ୍‌ରେ ପ୍ରବେଶ କରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି, ସେକେଣ୍ଡ ପ୍ରତି ୧୦. ୯୮ କିଲୋମିଟର ବେଗରେ ଗତି କରୁଥିଲା ଚନ୍ଦ୍ରଯାନ-୨ । ଏବେ ଗତି କମାଯାଇ ୧.୯୮ କରାଯାଇଛି । ଚନ୍ଦ୍ରଯାନ-୨ର ଗତିକୁ ଆହୁରି କମାଇବାକୁ ପଡ଼ିବ । ଗତି କମ୍‌ ନକଲେ, ଚନ୍ଦ୍ରପୃଷ୍ଠରେ ମାଡ଼ ହେବାର ସମ୍ଭାବନା ଅଧିକ ରହିଛି । ଏହା ବୈଜ୍ଞାନିକଙ୍କ ପାଇଁ କଠିନ ସମୟ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ ।

Chandrayaan-2 picଚନ୍ଦ୍ରଯାନ-୨ର କକ୍ଷ ପଥରେ ଇସ୍ରୋ ଚାରିଥର ପରିକ୍ରମା କରିବ ଏବଂ ତାର ଦିଗ ଓ ଗତି ବଦଳାଇ ତାକୁ ଚନ୍ଦ୍ରର ଦକ୍ଷିଣ ମେରୁ ଉପରକୁ ନେବ । ଏହି ମହକାଶ ଯାନକୁ ଚନ୍ଦ୍ରପୃଷ୍ଠରୁ ୧୦୦କିଲୋମିଟର ଦୂରତାରେ ଅବସ୍ଥାପିତ କରାଯିବ। ଆସନ୍ତା ସେପ୍ଚେମ୍ବର ୭ ତାରିଖ ଭୋର ଗୋଟାଏ ୫୫ ମିନିଟରେ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବ । ଏଥିରେ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର । ଜୁଲାଇ ୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର GSLV MK-3 ରକେଟ୍‌ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରାଯଇଥିଲା।

chandrayaan 2ଚଳିତ ମାସ ୧୪ ତାରିଖରେ ଏହା ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଗତି କରିଥିଲା। ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି । ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନ-୨ ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର । ଅରବିଟର୍‌ ଚନ୍ଦ୍ରର କକ୍ଷପଥରେ ପହଞ୍ଚିିବା ପରେ, ବର୍ଷେ ଯାଏ ଚନ୍ଦ୍ର ଚାରିପଟେ ବୁଲିବ ।

Chandrayaan 2 photoସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ୧୪ଶହ ୭୧ କିଲୋଗ୍ରାମର ଲ୍ୟାଣ୍ଡର ମଞ୍ଜିନସ C ଏବଂ ସିମ୍ପିଲିୟସ N, ଏ ଦୁଇଟି ଗର୍ତ୍ତର ମଧ୍ୟବର୍ତ୍ତି ଅଂଚଳରେ ଅବତରଣ କରିବ । ଏହାର କାର୍ଯ୍ୟକାଳ ଗୋଟିଏ ଲୁନାର ଡେ, ଅର୍ଥାତ ୧୪ ଦିନ । ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଟରେ ଅନୁଧ୍ୟାନ କରିବ ରୋଭର ପ୍ରଜ୍ଞା । ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ । ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ ରୋଭର। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.