ଜହ୍ନରେ ଓହ୍ଲାଇଲା ‘ଚନ୍ଦ୍ରଯାନ-୩’, ସଫଳ ହେଲା ଭାରତର ମୁନ୍‌ ମିଶନ

ଇତିହାସ ରଚିଲା ଭାରତ। ଜହ୍ନରେ ପାଦ ଥାପିଲା ‘ଚନ୍ଦ୍ରଯାନ-୩’। ସଫଳ ହେଲା ଭାରତର ମୁନ୍‌ ମିଶନ। ଦେଶ ପାଇଁ ଗୌରବ ଆଣିଲା ଇସ୍ରୋ।

ଇତିହାସ ରଚିଲା ଭାରତ। ଜହ୍ନରେ ପାଦ ଥାପିଲା ‘ଚନ୍ଦ୍ରଯାନ-୩’। ସଫଳ ହେଲା ଭାରତର ମୁନ୍‌ ମିଶନ। ଦେଶ ପାଇଁ ଗୌରବ ଆଣିଲା ଇସ୍ରୋ। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର୍‌ ବିକ୍ରମ। ଭାରତର ଏହି ମୁନ୍ ମିଶନକୁ ସାରା ବିଶ୍ୱ କରିଥିଲା ଅପେକ୍ଷା। ବୈଜ୍ଞାନିକମାନେ ଶତ ପ୍ରତିଶତ ନିଶ୍ଚିତ ଥିଲେ ଯେ, ଚୂଡ଼ାନ୍ତ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେବ ଚନ୍ଦ୍ରଯାନ-୩। ସମୟ ଯେତିକି ପାଖେଇ ଆସୁଥିଲା, ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢ଼ି ଚାଲିଥିଲା।

ସନ୍ଧ୍ୟା ୫ଟା ୪୫ରୁ ଆରମ୍ଭ ହୋଇଥିଲା ପାୱାର ଡିସେଣ୍ଟ। ପାଖାପାଖି ୨୫ କି.ମି. ଉଚ୍ଚତାରୁ ତଳକୁ ଖସିଥିଲା ଲ୍ୟାଣ୍ଡର। ସେହି ସମୟରେ ବିକ୍ରମର ବେଗ ପ୍ରତି ସେକେଣ୍ଡରେ ଥିଲା ୧.୬୮ କି.ମି। ଅବତରଣ ସ୍ଥାନରୁ ପ୍ରାୟ ୭୪୫ କି.ମି ଦୂରରେ ରହିଥିଲା ଲ୍ୟାଣ୍ଡର। ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ ଲ୍ୟାଣ୍ଡରକୁ ଟାଣିଥିଲା।

ସନ୍ଧ୍ୟା ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ ଥିଲା, ଯାହାକୁ ‘20 ମିନିଟ୍ ଅଫ୍‌ ଟେରର୍‌’ ବୋଲି କୁହାଯାଇଥିଲା। ଚନ୍ଦ୍ରଯାନ-୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ଏଥର ଇସ୍ରୋ କିନ୍ତୁ ଦୃଢ଼ ଆଶାବାଦୀ ଥିଲା।

ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩, ଯାହାକୁ ୧୪୦ କୋଟି ଭାରତୀୟଙ୍କ ସମେତ ସାରା ବିଶ୍ୱର ବୈଜ୍ଞାନିକମାନେ ଚାହିଁ ବସିଥିଲେ। ୨୦୧୯ରେ ଭାରତର ଚନ୍ଦ୍ରଯାନ-୨ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାର ମାତ୍ର କିଛି ଦୂରତାରୁ ହିଁ କ୍ରାସ୍‌ ହୋଇଯାଇଥିଲା। ଏହାପରେ ‘ମିଶନ ଚନ୍ଦ୍ରଯାନ-୩’ ଘୋଷଣା କରାଯାଇଥିଲା।

ଭାରତର ଏହି ମୁନ୍‌ ମିଶନ ସଫ୍ଟ ଲ୍ୟାଣ୍ଡିଂ ଦୃଷ୍ଟିରୁ ବି ଆହୁରି ଖାସ୍‌ ଥିଲା। କାରଣ, ଚନ୍ଦ୍ରପୃଷ୍ଠରେ ଆଜି ପର୍ଯ୍ୟନ୍ତ କେବଳ ଚୀନ, ଆମେରିକା ଓ ରୁଷ୍‌ ହିଁ ସଫ୍ଟ ଲ୍ୟାଣ୍ଡିଂ କରିପାରିଛନ୍ତି। ହେଲେ କେହି ବି ଦକ୍ଷିଣ ମେରୁରେ ପହଞ୍ଚି ନାହାନ୍ତି। ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ଏହି ଉପଲବ୍ଧି ହାସଲ କରିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇଛି। ସେହିପରି ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.