ଭାରତର ଚନ୍ଦ୍ର ମିଶନ ଅଧୀନରେ ‘ଚନ୍ଦ୍ରୟାନ-୩’କୁ ୨୦୨୧ ପ୍ରାରମ୍ଭରେ ପ୍ରତିକ୍ଷେପଣ କରାଯିବାର ସମ୍ଭାବନା ରହିଛି। ଚନ୍ଦ୍ରୟାନ-୨ର ବିପରୀତ ଏଥିରେ ‘ଅର୍ବିଟର’ ରହିବ ନାହିଁ। କିନ୍ତୁ ଏଥିରେ ଏକ ‘ଲ୍ୟାଣ୍ଡର’ ଏବଂ ‘ରୋବର’ ରହିବ। ଗତବର୍ଷ ସେପ୍ଟେମ୍ବରରେ ଚନ୍ଦ୍ରୟାନ-୨ର ଚନ୍ଦ୍ର ଉପରେ ‘ହାର୍ଡ ଲ୍ୟାଣ୍ଡିଙ୍ଗ’ ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏହି ବର୍ଷର ଶେଷ ମାସ ଆଡ଼କୁ ଆଉ ଏକ ଅଭିଯାନର ଯୋଜନା କରିଥିଲା। କିନ୍ତୁ କରୋନା ଭାଇରସ ଏବଂ ଲକଡାଉନ ଯୋଗୁ ଇସ୍ରୋର ଅନେକ ଯୋଜନା ପ୍ରଭାବିତ ହୋଇଥିଲା। ଯାହାଫଳରେ ‘ଚନ୍ଦ୍ରୟାନ-୩’ ଭଳି ଅଭିଯାନରେ ବିଳମ୍ବ ଘଟିଥିଲା।
ପିଏମଓ ପକ୍ଷରୁ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି, ‘ଚନ୍ଦ୍ରୟାନ-୩ର ପ୍ରତିକ୍ଷେପଣ ୨୦୨୧ ପ୍ରାରମ୍ଭରେ କେବେ ବି ହେବାର ସମ୍ଭାବନା ରହିଛି। ଚନ୍ଦ୍ରୟାନ-୩, ଚନ୍ଦ୍ରୟାନ-୨ର ପୁନଃ ଅଭିଯାନ ହେବ’।
୨୦୧୯ରେ ପ୍ରତିକ୍ଷେପଣ କରାଯାଇଥିଲା ଚନ୍ଦ୍ରୟାନ-୨
ଗତବର୍ଷ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨ ପ୍ରତିକ୍ଷେପଣ କରାଯାଇଥିଲା। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାର ଯୋଜନା ଥିଲା। କିନ୍ତୁ ଲ୍ୟାଣ୍ଡର ବିକ୍ରମ ୭ ସେପ୍ଟେମ୍ବରରେ ହାର୍ଡ ଲ୍ୟାଣ୍ଡିଙ୍ଗ କରିଥିଲା ଏବଂ ନିଜ ପ୍ରଥମ ପ୍ରୟାସରେ ହିଁ ପୃଥିବୀର ଉପଗ୍ରହ ପୃଷ୍ଠକୁ ଛୁଇଁବାର ଭାରତର ସ୍ବପ୍ନ ଭାଙ୍ଗିଯାଇଥିଲା। ଅଭିଯାନରେ ପଠାଯାଉଥିବା ଅର୍ବିଟର ଭଲ କାମ କରୁଛି ଏବଂ ସୂଚନା ପଠାଉଛି। ଚନ୍ଦ୍ରୟାନ-୧କୁ ୨୦୦୮ରେ ପ୍ରତିକ୍ଷେପଣ କରାଯାଇଥିଲା।
ମନ୍ତ୍ରୀ ସିଂ ଆହୁରି କହିଥିଲେ କି, ‘ଇସ୍ରୋର ପ୍ରଥମ ଚନ୍ଦ୍ର ଅଭିଯାନ କିଛି ଚିତ୍ର ପଠେଇଛି, ଏଥିରେ ଚନ୍ଦ୍ରର ମେରୁରେ ଜଙ୍କ ଭଳି ଲାଗିଥିବା ଦେଖିବାକୁ ମିଳିଛି’। ତେବେ ବୟାନରେ କୁହାଯାଇଛି କି, NASAର ବୈଜ୍ଞାନିକମାନଙ୍କ କହିବା ହେଲା, ଏଥିରେ ପୃଥିବୀର ନିଜ ପରିବେଶ ସହାୟତା କରୁଥାଇପାରେ। ଅର୍ଥାତ ପୃଥିବୀର ବାତାବରଣ ଚନ୍ଦ୍ରକୁ ମଧ୍ୟ ରକ୍ଷା କରୁଥିବ। ଏହିଭଳି ଚନ୍ଦ୍ରୟାନ-୧ର ଡାଟାରୁ ସଙ୍କେତ ମିଳୁଛି କି, ଚନ୍ଦ୍ରର ମେରୁରେ ପାଣି ଅଛି, ବୈଜ୍ଞାନିକମାନେ ଏହାକୁ ଜାଣିବା ପାଇଁ ପ୍ରୟାସ କରୁଛନ୍ତି।
ଗଗନୟାନର ପ୍ରସ୍ତୁତି ମଧ୍ୟ ଜାରି
ଏହାରି ଭିତରେ ଅନ୍ତରୀକ୍ଷରେ ମାନବକୁ ପଠେଇବା ପାଇଁ ଭାରତର ପ୍ରଥମ ଅଭିଯାନ ‘ଗଗନୟାନ’ର ସମସ୍ତ ପ୍ରସ୍ତୁତି ବି ଜାରି ରହିଛି।