ପୁଣି ଚିଦାମ୍ବରମଙ୍କୁ ଝଟ୍‌କା, ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଜାମିନ୍‌

କେନ୍ୟୁଜ୍ (ବ୍ୟୁରୋ):  ପୁଣି ଚିଦାମ୍ବରମଙ୍କୁ ଝଟ୍‌କା। ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମିଳିଲାନି ଜାମିନ୍‌। ଜେଲରୁ ବାହାରିଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଂକା ରହିଛି ବୋଲି କୋର୍ଟ କହିଛନ୍ତି। ବିଦେଶକୁ ପଳାୟନ ଏବଂ ପ୍ରମାଣ ନଷ୍ଟ ପାଇଁ ମଧ୍ୟ ଉଦ୍ୟମ କରିପାରନ୍ତି ବୋଲି କୋର୍ଟ କହିଛନ୍ତି। ସ୍ୱତନ୍ତ୍ର ସିବିଆଇ କୋର୍ଟରୁ ନିରାଶ ହେବା ପରେ ନିୟମିତ ଜାମିନ୍‌ ପାଇଁ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଚିଦାମ୍ବରମ୍‌। ଦିଲ୍ଲୀ ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଜାମିନ ଆବେଦନକୁ ସିବିଆଇ ଜୋରଦାର ବିରୋଧ କରିଥଲା। ଚିଦାମ୍ବରମଙ୍କ ବିରୋଧରେ ମାମଲା ଗମ୍ଭୀ ନୁହେଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଥିଲେ। ସିବିଆଇ ଓକିଲ କହିଥିଲେ ମାମଲା କେତେ ଗମ୍ଭୀର ତାହା କେବଳ କୋର୍ଟ ହିଁ ସ୍ଥିର କରିବେ। ବର୍ତ୍ତମାନ ତିହାର ଜେଲରେ ଅଛନ୍ତି ପି.ଚିଦାମ୍ବରମ୍‌। ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଅଗଷ୍ଟ ୨୧ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏକାଧିକ ପର୍ଯ୍ୟାୟରେ ୧୪ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାତଜକୁ ପଠାଇ ଦିଆଯାଇଛି। ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶ ଅର୍ଥ ମିଳିବା ପାଇଁ ଏଫଆଇପିବି କ୍ଲିୟରାନ୍ସକୁ ମଂଜୁରୀ ଦେଇଥିଲେ ପି.ଚିଦାମ୍ବରମ୍‌। ସେତେବେଳେ ଉପା ସରକାରରେ ସେ ଅର୍ଥମନ୍ତ୍ରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.