ଭାରତ ସହ ମୁକାବିଲା ପାଇଁ ପାକିସ୍ତାନୀ ଅଧିକାରୀଙ୍କୁ ନିଜ ସେନାରେ ନିୟୋଜିତ କଲା ଚୀନ, LAC ପାଖରେ ଦେଲା ଦାୟିତ୍ୱ: ଗୁଇନ୍ଦା ରିପୋର୍ଟ

ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ପାକିସ୍ତାନ ଓ ଚୀନ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କରିଛନ୍ତି। ଗୁଇନ୍ଦା ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୀନ ଭାରତର ମୁକାବିଲା କରିବା ପାଇଁ ପାକିସ୍ତାନୀ ଅଧିକାରୀଙ୍କୁ ସେନାରେ ନିୟୋଜିତ କରିଛି ଏବଂ ଏହି ପାକିସ୍ତାନୀ ଅଧିକାରୀମାନଙ୍କୁ LAC ପାଖରେ ଦାୟିତ୍ୱ ଦିଆଯାଇଛି।

ଖବର ଅନୁଯାୟୀ, ଚୀନ୍ ସେନାର ପଶ୍ଚିମ ଏବଂ ଦକ୍ଷିଣୀ କମାଣ୍ଡ୍‌ ମୁଖ୍ୟାଳୟରେ ପାକିସ୍ତାନର ମିଲିଟାରୀ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ୱେଷ୍ଟର୍ଣ୍ଣ କମାଣ୍ଡ ଲଦାଖ ଏବଂ ସାଉଥ କମାଣ୍ଡ ତିବ୍ଦତ ଅଞ୍ଚଳ ଉପରେ ନଜର ରଖିଛି। ଗତ ମାସରେ ଚୀନ ଜେନେରାଲ ୱାଙ୍ଗ ହାଇଜିଆଙ୍ଗଙ୍କୁ ୱେଷ୍ଟର୍ଣ୍ଣ କମାଣ୍ଡର ନୂତନ କମାଣ୍ଡର ଭାବରେ ନିଯୁକ୍ତ କରିଥିଲା।

ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାର କର୍ଣ୍ଣେଲ-ର‍୍ୟାଙ୍କ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ସାମରିକ ଆୟୋଗର ଯୁଗ୍ମ କର୍ମଚାରୀ ବିଭାଗରେ ନିୟୋଜିତ କରାଯାଇଛି, ଯିଏ ଚୀନ ସେନା ପାଇଁ ଯୁଦ୍ଧ ଯୋଜନା, ତାଲିମ ଏବଂ ରଣନୀତି ଉପରେ ନଜର ରଖିବେ। ଏହା ବ୍ୟତୀତ ପାଖାପାଖି ୧୦ ପାକିସ୍ତାନୀ ସେନାର ଅଧିକାରୀଙ୍କୁ ମଧ୍ୟ ବେଜିଂସ୍ଥିତ ପାକିସ୍ତାନୀ ହାଇ କମିଶନଙ୍କ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଛି। ରିପୋର୍ଟରେ କୁହାଯାଇଛି କି, ଚୀନ୍ ସେନାରେ ପାକିସ୍ତାନୀ ସେନା ଅଧିକାରୀଙ୍କ ନିଯୁକ୍ତି ଗୁଇନ୍ଦା ସୂଚନା ବାଣ୍ଟିବା ଚୁକ୍ତିନାମା ପରେ କରାଯାଇଛି।

ଯଦିଓ ଅତୀତରେ ମଧ୍ୟ ପାକିସ୍ତାନ ଚୀନ୍ ପ୍ରକଳ୍ପର ଦେଖାଶୁଣାରେ ନିଜ ଯବାନମାନଙ୍କୁ ନିଯୁକ୍ତ କରି ସାରିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିପିଇସି ଏବଂ ନିଜ ଦେଶରେ ରହିଥିବା ଚୀନ୍ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ପାଖାପାଖି ୧୫,୦୦୦ ଯବାନଙ୍କୁ ନିୟୋଜିତ କରିଛି। ନିକଟରେ ପାକିସ୍ତାନ ମଧ୍ୟ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଚାଇନା ପ୍ରକଳ୍ପ ଏବଂ ଚୀନ୍ ନାଗରିକଙ୍କ ସୁରକ୍ଷା ପ୍ରତି ଯତ୍ନବାନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.