ଚୀନର ଏ କି ଦାଦାଗିରି! ଶ୍ରୀଲଙ୍କାକୁ ଦୂଷିତ ସାର ପଠାଇ ଓଲଟା ଦାବି କରୁଛି ୬୦ କୋଟି ଟଙ୍କା; ଦୁଇ ଦେଶ ବିବାଦ ଭିତରେ ଚଉକା ମାରିନେଲା ଭାରତ

ଚୀନ, ଶ୍ରୀଲଙ୍କାକୁ ଦୂଷିତ ସାର ପଠାଇବା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏବେ ଚୀନ ଫାର୍ମ ଏହାର ସାର ନମୁନା ପରୀକ୍ଷଣରେ ଅବହେଳା ପାଇଁ ଶ୍ରୀଲଙ୍କା ସରକାରଙ୍କଠାରୁ ୬୦ କୋଟି ଟଙ୍କା ଦାବି କରିଛି। କହି ରଖୁଛୁ କି, ଚୀନ ଦ୍ୱାରା ଦୂଷିତ ସାର ପଠାଯିବା ପରଠାରୁ ଶ୍ରୀଲଙ୍କା, ଚୀନର ଜୈବିକ ସାର ଶିପ୍‌ମେଣ୍ଟ ଉପରେ ରୋକ ଲଗାଇ ଦେଇଛି। ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବାୟୁସେନାର ଦୁଇଟି ଗ୍ଲୋବମାଷ୍ଟର ବିମାନ ୪ ନଭେମ୍ବରରେ ସାର ସପ୍ଲାଇ କରିଥିଲା। ଭାରତ ଶ୍ରୀଲଙ୍କାକୁ ୧୦୦ ଟନ ନାନୋ ନାଇଟ୍ରୋଜେନ ସାର ପଠାଇଛି।

ଭାରତୀୟ ଦୂତାବାସ ତରଫରୁ ଜାରି ବୟାନରେ କୁହାଯାଇଛି କି, ଭାରତୀୟ ବାୟୁସେନାର ଦୁଇଟି ସି-୧୭ ଗ୍ଲୋବମାଷ୍ଟର ବିମାନ ୧୦୦ ଟନ ନାନୋ ନାଇଟ୍ରୋଜେନ ସାର ଶ୍ରୀଲଙ୍କାରେ ପହଞ୍ଚାଇଛି। ଭାରତ ତରଫରୁ ଏହି ପଦକ୍ଷେପ ଶ୍ରୀଲଙ୍କାକୁ ଚୀନର ଦୂଷିତ ସାର ଯୋଗାଣ ମାମଲା ସାମ୍ନାକୁ ଆସିବା ପରେ ହିଁ ନିଆଯାଇଛି। ଦୂତାବାସ ତରଫରୁ ଆହୁରି କୁହାଯାଇଛି ଯେ ସି-୧୭ ବିମାନର ସଞ୍ଚାଳନକୁ ଶ୍ରୀଲଙ୍କା ବାୟୁସେନା ସହିତ ସମ୍ପର୍କ କରି ସମ୍ମନ୍ଵିତ କରି ଦିଆଯାଇଛି। ଭାରତୀୟ ବାୟୁସେନା ବିମାନର ତ୍ୱରିତ ମୁତୟନ ଏବଂ ରାତାରାତି ଦ୍ରୁତ ଗତିରେ ସାର ପହଞ୍ଚାଇବା ଦୁଇ ଦେଶ ମଧ୍ୟରେ ନିକଟ ସମ୍ମନ୍ଵୟକୁ ଦର୍ଶାଇଥାଏ।

ତେବେ ଏହି ମାମଲାକୁ ନେଇ ୮ ନଭେମ୍ବରରେ ଶ୍ରୀଲଙ୍କା ଓ ଚୀନର ରାଜନୈତିକ ବ୍ୟକ୍ତିମାନେ ଏକାଠି ହୋଇଥିଲେ, କିନ୍ତୁ ଆଲୋଚନା କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ଥିବା ଜଣାପଡ଼ିଛି। ଚୀନ ଫାର୍ମ ଏବେ ଶ୍ରୀଲଙ୍କା ଉପରେ ଅଭିଯୋଗ ଆଣିଛି। ଶ୍ରୀଲଙ୍କା କୃଷି ବିଭାଗର ନ୍ୟାଶନାଲ ପ୍ଲାଣ୍ଟ କ୍ୱାରେଣ୍ଟାଇନ ସର୍ଭିସ୍‌ ଅଧିକାରୀମାନଙ୍କ ଉପରେ ଚୀନ ନିଜ ପରୀକ୍ଷଣରେ ଭୁଲ୍‌ ଫଳାଫଳ ବାହାର କରିଥିବା ନେଇ ଅଭିଯୋଗ ଲଗାଇଛି। ସୂଚନାଥାଉ କି, ଅକ୍ଟୋବରରେ ଶ୍ରୀଲଙ୍କାର ଅଧିକାରୀମାନେ ଜୈବିକ ସାର ନେଇକି ଯାଇଥିବା ଏକ ଚୀନ ଜାହାଜ ଉପରେ ରୋକ୍‌ ଲଗାଇ ଦେଇଥିଲେ। ସେବେଠାରୁ ଚୀନର ରାଗ ଶ୍ରୀଲଙ୍କା ଉପରେ ରହିଛି।

ମାମଲାରେ ପ୍ରତିଶୋଧ ପରାୟଣ ହୋଇ ଚୀନ ଏହା ପ୍ରତିବଦଳରେ ଶ୍ରୀଲଙ୍କାର ପିପୁଲ୍ସ ବ୍ୟାଙ୍କକୁ କଳା ତାଲିକାଭୁକ୍ତ କରି ଦେଇଛି। ଆଉ ଏବେ କମ୍ପାନୀଠାରୁ ୬୦ କୋଟି ଟଙ୍କା ଦାବି କରୁଛି। କହି ରଖୁଛୁ କି, ପିପୁଲ୍ସ ବ୍ୟାଙ୍କ ଅଫ୍‌ ଶ୍ରୀଲଙ୍କା, ଶ୍ରୀଲଙ୍କାର ଦ୍ୱିତୀୟ ସବୁଠାରୁ ବଡ଼ ବାଣିଜ୍ୟିକ ବ୍ୟାଙ୍କ। ଏହି ବ୍ୟାଙ୍କ ଚୀନ କମ୍ପାନୀକୁ ଅଦାଲତଙ୍କ ଆଦେଶ ପରେ ପେମେଣ୍ଟ କରିବା ଉପରେ ରୋକ୍‌ ଲଗାଇ ଦେଇଥିଲା। ରିପୋର୍ଟ ମୁତାବକ, ଶ୍ରୀଲଙ୍କା ହାନିକାରକ ବ୍ୟାକ୍ଟେରିଆ ପାଇବା ପରେ ଜୈବିକ ସାରର ଆମଦାନୀକୁ ଫେରସ୍ତ କରି ଦେଇଥିଲା। ଏ ନେଇ ଚୀନ ଉର୍ବରକ କମ୍ପାନୀ Qingdao Siwin Biotech Group Limited କହିଥିଲା ଯେ ତାକୁ ଏଥିରେ ଲକ୍ଷାଧିକ ଡଲାରର କ୍ଷତି ହୋଇଛି ଏବଂ ପ୍ରତିଷ୍ଠା ଉପରେ ଦାଗ ଲାଗିବା ଯୋଗୁ କ୍ଷତି ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.