Below header

ଆଜି ସୁପ୍ରିମକୋର୍ଟରେ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଘୋଟଲାର ଶୁଣାଣି

(କେନ୍ୟୁଜ): ଆଜି ସୁପ୍ରିମକୋର୍ଟରେ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ ଚିଟଫଣ୍ଡ ଘୋଟଲାର ଶୁଣାଣି। ସମୟ ଅଭାବରୁ ଗତ ସୋମବାର ଦିନ ଏହି ମାମଲାର ଶୁଣାଣି ହୋଇ ପାରି ନଥିଲା। ଆଜିର ଶୁଣାଣି ପୂର୍ବରୁ ଗତକାଲି ସନ୍ଧ୍ୟାରେ ଆମିକସ କ୍ୟୁରୀ ଗୌରବ ଅଗ୍ରୱାଲ ୧୧ ପୃଷ୍ଠାର ସଂକ୍ଷିପ୍ତ ନୋଟ ଦାଖଲ କରିଛନ୍ତି। ଏହି ନୋଟରେ ସିବିଆଇ, ରାଜ୍ୟ ସରକାର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପିତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି।

ଏଥିରେ ଦର୍ଶାଯାଇଛି ଯେ, ୨୯ ଟି ମାମଲାରେ ୨୪୧ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ସିବିଆଇ। ୨୯ ଟି ମାମଲାରୁ ୧୭ ଟି ମାମଲାର ତଦନ୍ତ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୧୨ ଟି ମାମଲାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ହୋଇଛି । ସିବିଆଇ ଦ୍ୱାରା ଧରା ପଡିଥିବା ୨୪୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚିଟଫଣ୍ଡ ଠକେଇ ମାମଲାରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ ସିବିଆଇ ଉପରେ ପ୍ରବଳ ବର୍ଷିବା ସହ ଶନିବାର ସୁଦ୍ଧା ପ୍ରତିଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଜମାକାରୀମାନେ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଫେରି ପାଇବା ପାଇଁ କାହିଁକି ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ରାଜ୍ୟରେ ସବୁଠୁ ବଡ଼ ଠକେଇ ହେଉଛି ଚିଟଫଣ୍ଡ ଦୁର୍ନୀତି । ପ୍ରାୟ ଗୋଟିଏ ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଅଛନ୍ତି ଜମାକାରୀ । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରୁ ସିବିଆଇ, ସିବିଆଇରୁ ଏବେ ସୁପ୍ରିମକୋର୍ଟ। ହେଲେ ଜମାକାରୀ ଟଙ୍କା ଫେରିବା ବାଟକୁ ଏବେ ବି ଚାହିଁ ରହିଛନ୍ତି। ହାତଗଣିତ କିଛି ଜମାକାରୀଙ୍କୁ ପ୍ରାପ୍ୟ ମିଳିଛି। ଓଡ଼ିଶା ଚିଟଫଣ୍ଡ ମାମଲାର ଶୁଣାଣୀ ବେଳେ ସିବିଆଇକୁ ଭର୍ତ୍ସନା କରିଥିଲେ ସୁପ୍ରମିକୋର୍ଟ । କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି । ଚିଟଫଣ୍ଡ ଟଙ୍କା ପାଇବା ପାଇଁ କ୍ଷତିଗ୍ରସ୍ତ ୧୦ରୁ ୧୫ ବର୍ଷ ଅପେକ୍ଷା କରିପାରିବେନି ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଦୁର୍ନୀତି କରୁଥିବା ଲୋକ ଜେଲରେ ଖୁସିରେ ଅଛନ୍ତି । କିନ୍ତୁ ଜମାକାରୀମାନେ ତାଙ୍କ ଟଙ୍କା ଫେରି ପାଉନାହାଁନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୨୦୧୨-୧୩ରେ ହୋଇଥିଲା ରାଜ୍ୟରେ ଚିଟଫଣ୍ଡର ମହାଠକେଇ ।

୨୦୧୪ରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା । ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ । ଅନ୍ୟପଟେ ଗଠନ ହୋଇଥିବା କମିଶନଙ୍କ କାର୍ଯ୍ୟକାଳ ଅନେକ ଥର ବଢିବା ସହିତ ଶେଷରେ ବନ୍ଦ ହୋଇଗଲା। ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ହୋଇଥିବାର ଅଭିଯୋଗ ରହିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ୍‌ ସି ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଥ ଫେରସ୍ତରେ ବିଳମ୍ବକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.