ଟ୍ରେନ ଝରକା ପାଖ ସିଟରେ ବସିବାକୁ ଜିଦି କରିଥିଲା ୮ ବର୍ଷର ଝିଅ, ଆଉ ଏମିତି ବଞ୍ଚିଗଲା ବାପ ଝିଅଙ୍କ ଜୀବନ

ଝରକା ପାଖ ସିଟ୍‌ରେ ବସିବାକୁ ଜିଦି କରିଥିଲା ୮ ବର୍ଷର ଝିଅ । ଆଉ ଝିଅର ଜିଦି ପୂରଣ କରିବା ପାଇଁ ବାପା ଗୋଟେ କୋଚରୁ ଅନ୍ୟ କୋଚକୁ ଚାଲିଯାଇଥିଲେ । ସେମାନେ ଯିବାର କିଛି ସମୟ ପରେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା ।

‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ ଅର୍ଥାତ୍‌ ଈଶ୍ୱରଙ୍କ କୃପା ଥିଲେ କେହି କିଛି କରିପାରିବେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଓଡିଶା ଟ୍ରେନ ଦୁର୍ଘଟଣାରେ ଦେଖିବାକୁ ମିଳିଛି । ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ବଞ୍ଚିଯାଇଛି ବାପା ଏବଂ ୮ ବର୍ଷ ଝିଅର ଜୀବନ । ଝିଅର ଜିଦି ଯୋଗୁଁ ବାପା ଝିଅଙ୍କ ଜୀବନ ବଞ୍ଚିଯାଇଛି । ଝରକା ପାଖ ସିଟରେ ବସିବାକୁ ଛୋଟ ଝିଅ ଜିଦି କରିଥିବାରୁ ବ୍ୟକ୍ତି ଜଣକ ଟ୍ରେନର କୋଚ୍‌ ବଦଳାଇଥିଲେ । ଯେଉଁଥିପାଇଁ ଜୀବନ ବଞ୍ଚିଯାଇଛି ।

ଖବର ମୁତାବକ, ବାପ ଏବଂ ୮ ବର୍ଷର ଝିଅ ଖଗଡପୁର ଷ୍ଟେସନରୁ ଚଢିଥିଲେ । ଦୁହେଁ କଟକରେ ଡାକ୍ତରକୁ ଦେଖାଇବାକୁ ଆସୁଥିଲେ । ବ୍ୟକ୍ତି ଜଣକ ପାଖରେ ଥାର୍ଡ ଏସି କୋଚର ଟିକେଟ ରହିଥିଲା । କିନ୍ତୁ ଝିଅ ଝରକା ପାଖରେ ବସିବାକୁ ଜିଦି କରିଥିଲେ । ଝିଅର ଜିଦି ଯୋଗୁଁ ବ୍ୟକ୍ତି ଜଣକ ଟିସି ସହିତ କଥାବାର୍ତ୍ତା କରିଥିଲେ । ଟିସି ଜଣକ କୌଣସି ଝରକା ପାଖ ସିଟ୍‌ ଖାଲିନାହିଁ ବୋଲି ମନା କରିଥିଲେ । ଆଉ ଅନ୍ୟ ଯାତ୍ରୀଙ୍କୁ ଅନୁରୋଧ କରି ସିଟ୍‌ ବଦଳାଇବା ପାଇଁ କହିଥିଲେ ।

ଟିସିଙ୍କ କହିବା ପରେ ବ୍ୟକ୍ତି ଜଣକ ଝିଅର ଜିଦି ପୂରଣ କରିବା ପାଇଁ ଯାତ୍ରୀମାନଙ୍କ ସହିତ ସିଟ୍‌ ବଦଳାଇବାକୁ ପଚାରିଥିଲେ । କିନ୍ତୁ ସେହି କୋଚରେ ଥିବା ଯାତ୍ରୀ କେହି ମାନିନଥିବାରୁ ବାପ ଝିଅ ଅନ୍ୟ କୋଚକୁ ଯାଇ ଯାତ୍ରୀଙ୍କୁ ଅନୁରୋଧ କରିଥିଲେ । ଏବେ ଜଣେ ଯାତ୍ରୀ ଅନ୍ୟ କୋଚରେ ଝରକା ପାଖ ସିଟ୍‌ ଦେଇଥିଲେ । ଆଉ ଯାହାର କିଛି ସମୟ ପରେ ଏଭଳି ଟ୍ରେନ ଦୁର୍ଘଟଣା ହୋଇଥିଲା ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରର ବାହାନଗା ଷ୍ଟେସରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୭୫ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.