ଚୀନ୍ ପାଇଁ କାଳ ହୋଇଛି କରୋନା ଭାଇରସ୍: ୭୫ ହଜାରରୁ ଅଧିକ ଆକ୍ରାନ୍ତ, ଗଲାଣି ୨୧ ଶହରୁ ଅଧିକ ଲୋକଙ୍କ ଜୀବନ
ଚୀନ୍ : ଚୀନ୍ ପାଇଁ କାଳ ହୋଇଛି କରୋନା । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ରେ ୨୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୭୫ ହଜାରରୁ ଅଧିକ ଲୋକ ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଚୀନ୍ ବାହାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଛି । ସେପଟେ ୧୪ ଦିନର ବନ୍ଦୀ ଜୀବନ ପରେ ପ୍ରିନସେସ୍ ଡାଇମଣ୍ଡ ଜାହାଜରୁ ମୁକ୍ତ ହେଉଛନ୍ତି ଯାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୫ ଶହ ଯାତ୍ରୀ ଜାହାଜରୁ ଓହ୍ଲାଇଛନ୍ତି । ଏମାନଙ୍କ ରିପୋର୍ଟ ନେଗେଟିଭ୍ ଥିଲା । ୧୪ ଦିନର କ୍ୱାରେଣ୍ଟାଇନ୍ ପରେ ଏମାନଙ୍କୁ ମୁକ୍ତ କରାଯାଇଛି । କରୋନା ଆକ୍ରାନ୍ତ ହୋଇନଥିବା ଅନ୍ୟ ଯାତ୍ରୀମାନେ ପର୍ଯ୍ୟାୟ କ୍ରମେ ବାହାରକୁ ଆସିବେ ।
ଜାପାନ ୟୋକୋହାମା ବନ୍ଦରରେ ଯାତ୍ରୀବାହୀ ଜାହାଜ ଡାଇମଣ୍ଡ ପ୍ରିନସେସ୍ ଅଟକି ରହିଛି । ଏଥିରେ ଯାତ୍ରୀ ଓ କ୍ରୀଉ ମେମ୍ବରଙ୍କୁ ମିଶାଇ ମୋଟ ୩ ହଜାର ୭୧୧ ଜଣ ଥିଲେ । ସେମାନଙ୍କ ମଧ୍ୟରେ ୧୩୮ ଜଣ ଭାରତୀୟ । ୧୩୨ ଜଣ କ୍ରୀଉ ସଦସ୍ୟ ହୋଇଥିବା ବେଳେ ୬ ଜଣ ଯାତ୍ରୀ । ୧୩୮ ଭାରତୀୟଙ୍କ ମଧ୍ୟରୁ କିଛି କରୋନା ଆକ୍ରାନ୍ତ । ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫୪୫ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଛି । ବନ୍ଦୀ ଜୀବନ କାଟୁଥିବା ଯାତ୍ରୀମାନେ ମୁକ୍ତି ପାଇଁ ନିଜନିଜ ଦେଶକୁ ଆକୁଳ ନିବେଦନ କରୁଛନ୍ତି ।