୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମ ମାମଲାରେ ମିଳିବ ମୃତ୍ୟୁଦଣ୍ଡ : ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ହେଲା ଆଇନ

ନୂଆଦିଲ୍ଲୀ : ୧୨ ବର୍ଷରୁ କମ୍ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀଖୁଣ୍ଟରେ ଝୁଲିବ ଆସାମୀ । ସଂଶୋଧିତ ଅପରାଧିକ ବିଲ୍- ୨୦୧୮କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଥିଲା। ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି । ନୂଆ ଆଇନ ଅନୁସାରେ, ୧୨ବର୍ଷରୁ କମ୍ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ଦୋଷୀକୁ ଫାଶୀଦଣ୍ଡ ମିଳିବ । ନଚେତ୍ ୨୦ ବର୍ଷ କିମ୍ବା ଆଜୀବନ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ସେହିପରି ୧୬ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ସର୍ବନିମ୍ନ ୧୦ରୁ ୨୦ ବର୍ଷ ଜେଲ୍ କିମ୍ବା ଆଜୀବନ କାରାଦଣ୍ଡାଦେଶ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶ ବିଧାନସଭାରେ ଏଭଳି ଆଇନ ଗୃହୀତ ହୋଇଥିଲା । ଜାମ୍ମୁ ଓ କାଶ୍ମୀର କଠ୍ଓ୍ଵାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ସାରାଦେଶରେ କଠୋର ଆଇନ ବ୍ୟବସ୍ଥା ନେଇ ଦାବି ଜୋର ଧରିଥିଲା । ଏହାପରେ କେନ୍ଦ୍ର ସରକାର ନୂଆ ଆଇନ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.