ବ୍ରିଜଭୂଷଣଙ୍କ ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ, ଘରେ ପହଞ୍ଚି ୧୫ ଜଣଙ୍କ ବୟାନ ରେକର୍ଡ କଲା

ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ଘରକୁ ଯାଇ ୧୫ ଜଣଙ୍କ ବୟାନ ରେକର୍ଡ କରିଛି । ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଏବଂ ଗୋଣ୍ଡ‌ାସ୍ଥିତ ଘରେ ପହଞ୍ଚି ପୋଲିସ ଯାଞ୍ଚ କରୁଛି ।

ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ‌ଥିବା ଯୌନ ଉତ୍ପୀଡ଼ନ ମାମଲା‌ରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ଦିଲ୍ଲୀ ପୋଲିସର ଏକ ଟିମ୍‌ ଗତ ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଏବଂ ଗୋଣ୍ଡ‌ାସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାରର ୧୫ ଜଣଙ୍କ ବୟାନ ରେକର୍ଡ କରିଛି।

ପୋଲିସ ସେଠାରେ ପହଞ୍ଚି ତାଙ୍କ ପରିବାର ସଦସ୍ୟ ଓ ତ‌ାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ଯୋଗାଡ଼ କରିଛି। ଏହା ପରେ ପୋଲିସ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଥିବା ସୂଚନା ରହିଛି।

ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ନେତୃତ୍ବରେ ଭାରତୀୟ କୁସ୍ତଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବି କରି ଆନ୍ଦୋଳନ କରିଆସୁଛନ୍ତି। ବ୍ରିଜଭୂଷଣଙ୍କ ନାମରେ ମହିଳା ଆଥ୍‌ଲେଟ୍‌ଙ୍କୁ ଯୌନ ଶୋଷଣ କରିବା ନେଇ ମାମଲା ରୁଜୁ ହୋଇଛି।

ବ୍ରିଜଭୂଷଣଙ୍କ ବିରୋଧରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ୨୧ ଏପ୍ରିଲରେ କନୋଟ ପ୍ଲେସ୍‌ ଥାନାରେ ଅଭିଯୋଗ ଦାୟର କରିଥିଲେ । ଏହି ମାମଲାରେ ପୋଲିସ ଯାଞ୍ଚ କରୁଛି । ପୋଲିସ ଏପର୍ଯ୍ୟନ୍ତ ୧୩୭ ଜଣଙ୍କ ବୟାନ ରେକର୍ଡ କରିସାରିଲାଣି ।

ବ୍ରିଜଭୂଷଣ ନିଜ ବିରୋଧରେ ଥିବା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ଫାଶୀଖୁଣ୍ଟରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ। ମୋ ବିରୋଧରେ ଅଭିଯୋଗ ଆଣିଥିବା ଲୋକେ ଗଙ୍ଗାରେ ପଦକ ଫିଙ୍ଗିଦେଲେ ବ୍ରିଜଭୂଷଣଙ୍କୁ ଫାଶୀ ମିଳିବ ନାହିଁ। ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି, ତା’ ହେଲେ କୋର୍ଟଙ୍କୁ ଦିଅନ୍ତୁ। କୋର୍ଟ ମୋତେ ଫାଶୀ ଦେବେ ଏବଂ ମୁଁ ଏହାକୁ ଗ୍ରହଣ କରିବି।

ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିୟା ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ୨୩ ଏପ୍ରିଲରୁ ଧାରଣା ଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀ ୧୮ରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିଲେ ।