Below header

‘କୃଷ୍ଣନଗର କ୍ଲିନିକ୍‌ ମୋତେ ଅପେକ୍ଷା କରିଛି…’, ଟିକେଟ୍‌ କଟିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଡା. ହର୍ଷବର୍ଦ୍ଧନ

ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ଅନେକ ବରିଷ୍ଠଙ୍କ ଟିକେଟ୍‌ କଟିଥିବା ବେଳେ କେତେଜଣ ନୂଆ ଚେହେରାଙ୍କୁ ଜାଗା ମିଳିଛି । ଏହି କ୍ରମରେ ଦିଲ୍ଲୀର ଚାନ୍ଦିନୀଚୌକ ଲୋକସଭା ଆସନରୁ ଡା. ହର୍ଷବର୍ଦ୍ଧନଙ୍କର ମଧ୍ୟ ଟିକେଟ୍‌ କଟିଛି ।

ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଶନିବାର ଜାରି କରିଛି । ଏଥିରେ ଅନେକ ବରିଷ୍ଠଙ୍କ ଟିକେଟ୍‌ କଟିଥିବା ବେଳେ କେତେଜଣ ନୂଆ ଚେହେରାଙ୍କୁ ଜାଗା ମିଳିଛି । ଏହି କ୍ରମରେ ଦିଲ୍ଲୀର ଚାନ୍ଦିନୀଚୌକ ଲୋକସଭା ଆସନରୁ ଡା. ହର୍ଷବର୍ଦ୍ଧନଙ୍କର ମଧ୍ୟ ଟିକେଟ୍‌ କଟିଛି ଏବଂ ତାଙ୍କ ଜାଗାରେ ପ୍ରବୀଣ ଖଣ୍ଡେଲଓ୍ଵାଲଙ୍କୁ ସୁଯୋଗ ଦିଆଯାଇଛି ।

ବର୍ତ୍ତମାନ ତାଲିକା ଜାରି ପରେ ଡା. ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ନେଇଛନ୍ତି । ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କହି ରଖୁଛୁ, ଗୌତମ ଗମ୍ଭୀର ଓ ଜୟନ୍ତ ସିଂହ୍ନା ବିଜେପିର ତାଲିକା ଜାରି ହେବା ପୂର୍ବରୁ ହିଁ ନିଜକୁ ସକ୍ରିୟ ରାଜନୀତିରୁ ଦୂରେଇ ରଖିବାକୁ ଅନୁରୋଧ କରିଥିଲେ ।

ଏବେ ବିଜେପି ଯେଉଁ ଟିକେଟ୍‌ଗୁଡ଼ିକ ଘୋଷଣା କରିଛି, ସେଥିରେ ଡା. ହର୍ଷବର୍ଦ୍ଧନଙ୍କ ଟିକେଟ୍‌ କଟି ଦିଆଯାଇଛି, ଯାହା ପରେ ହର୍ଷବର୍ଦ୍ଧନ ‘x’ରେ ଏକ ଲମ୍ବା ପୋଷ୍ଟ କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ରହିଥିଲେ ।

‘x’ରେ ଡା. ହର୍ଷବର୍ଦ୍ଧନ ଲେଖିଛନ୍ତି, ‘୩୦ ବର୍ଷରୁ ଅଧିକ ରାଜନୈତିକ କ୍ୟାରିୟରରେ ମୁଁ ସମସ୍ତ ୫ଟି ବିଧାନସଭା ଓ ୨ଟି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି ଏବଂ ଏ ସବୁକୁ ବିପୁଳ ବ୍ୟବଧାନରେ ଜିତିଥିଲି । ଦଳ ସଙ୍ଗଠନ, ରାଜ୍ୟ ଏବଂ କେନ୍ଦ୍ର ସରକାରରେ ଅନେକ ପ୍ରତିଷ୍ଠିତ ପଦରେ ମଧ୍ୟ କାର୍ଯ୍ୟ କରିଥିଲି । ବର୍ତ୍ତମାନ ମୁଁ ମୋର ମୂଳକୁ ଫେରିବାକୁ ଅନୁମତି ଚାହୁଁଛି’ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ମୁଁ ତମାଖୁ ଓ ମାଦକ ଦ୍ରବ୍ୟ ସେବନ ବିରୋଧରେ, ଜଳବାୟୁ ପରିବର୍ତ୍ତନ ବିରୋଧରେ ଏବଂ ସରଳ ଓ ସ୍ଥାୟୀ ଜୀବନଶୈଳୀ ଶିକ୍ଷା ଦେବା ପାଇଁ ମୋର କାର୍ଯ୍ୟ ଜାରି ରଖିବି । କୃଷ୍ଣ ନଗରରେ ଥିବା ମୋର ENT କ୍ଲିନିକ୍ ମଧ୍ୟ ମୋ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.