ଆଜି ସାଢ଼େ ୮ ଘଣ୍ଟା ଜେରା ପରେ କାଲି ପୁଣି ଇଡିରେ ହାଜର ହେବେ ରାହୁଲ
କେନ୍ୟୁଜ୍(ବ୍ୟୁରୋ): ରାହୁଲଙ୍କ ମାରାଥନ ଜେରା । ଦୁଇଟି ପର୍ଯ୍ୟାୟରେ ସାଢ଼େ ୮ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲଞ୍ଚ୍ ପୂର୍ବରୁ ୩ ଘଣ୍ଟା ଓ ଲଞ୍ଚ୍ ପରେ ସାଢ଼େ ୫ ଘଣ୍ଟା ଜେରା କରିଛି ଇଡି । ଆସନ୍ତାକାଲି ପୁଣି ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ୍ ହୋଇଥିବା ସୂଚନା ରହିଛି । ରାହୁଲଙ୍କୁ ଜେରା ବେଳେ ଦେଶବ୍ୟାପୀ କଂଗ୍ରେସ ସତ୍ୟାଗ୍ରହ କରିଛି । ରାଜରାସ୍ତାରେ ଦଳୀୟ ନେତା ଓ କର୍ମୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ରାହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ପ୍ରତିବାଦ କରିଛି ଦଳ। ନ୍ୟାସନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଆଜି ଦିଲ୍ଲୀ ଇଡି ଅଫିସରରେ ପହଞ୍ଚି ଥିଲେ ରାହୁଲ । ସକାଳେ କଂଗ୍ରେସ କାର୍ଯ୍ୟାଳୟରୁ ପଦଯାତ୍ରାରେ ଯାଇ ଇଡି ଅଫିସରେ ପହଞ୍ଚିଥିଲେ ।
ପ୍ରାୟ ୩ଘଣ୍ଟାର ଜେରା ପରେ ମଧ୍ୟାହ୍ନଭୋଜନରେ ବାହାରକୁ ଆସିଥିଲେ। ଗଙ୍ଗାରାମ ହସପିଟାଲରେ ମା ସୋନିଆ ଗାନ୍ଧିଙ୍କୁ ଭେଟି ପୁଣି ଇଡିରେ ହାଜର ହୋଇଥିଲେ। ରାହୁଲଙ୍କ ଇଡିରେ ହାଜର ନେଇ ରାଜରାସ୍ତାରେ ଦେଖାଯାଇଥିଲା ହାଇଡ୍ରାମା। କଂଗ୍ରେସର ସତ୍ୟାଗ୍ରହ ଚେତାବନୀ ପାଇଁ ଇଡି ଅଫିସ ଚାରିପାଖରେ ୧୪୪ ଧାରା ଜାରି ହୋଇଥିଲା। ଦିଲ୍ଲୀରେ ବିକ୍ଷୋଭ ବେଳେ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ରାହୁଲ ଓ ସୋନିଆଙ୍କୁ ଇଡିର ସମନ ପ୍ରତିବାଦରେ କଂଗ୍ରେସ ଦେଶର ୨୫ଟି ଇଡି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲା ଦଳ । କେନ୍ଦ୍ରର ବିଜେପି ସରକାର ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି କଂଗ୍ରେସ କହିଛି। ବିଜେପି କହିଛି ଦୁର୍ନୀତିକୁ ପ୍ରୋତ୍ସାହନ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ।