ଦିଲ୍ଲୀର ସବୁଠାରୁ ଶସ୍ତା ମାର୍କେଟ ସରୋଜିନୀ ନଗରରେ ଲାଗିଲା ନିଆଁ, ୪ରୁ ଅଧିକ ଦୋକାନ ଜଳିପୋଡି ପାଉଁଶ

ରାତି ୨ଟାରେ ନିଆଁ ଲାଗିଥିବା ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବଞ୍ଚିଗଲେ ଲୋକେ । ଦିଲ୍ଲୀର ବ୍ୟସ୍ତବହୁଳ ସରୋଜିନୀ ନଗର ମାର୍କେଟରେ ଲାଗିଲା ନିଆଁ । ୪ରୁ ଅଧିକ ଦୋକାନ ଜଳିପୋଡି ପାଉଁଶ । ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ।

ଦିଲ୍ଲୀର ସରୋଜିନୀ ନଗର ଅଞ୍ଚଳରେ ଗତରାତିରେ ୪ଟି ବଡ ଦୋକାନରେ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି । ଫଳରେ ପାଖରେ ଥିବା ଆଉ ୨୦ଟି ଦୋକାନରେ ନିଆଁ ମଧ୍ୟ ଲାଗିଥିବା ଖବର ମିଳିଛି । ରାତି ୨ ଟା ପାଖାପାଖି ଏହି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ନିଆଁ ଲାଗିବା ଖବର ମିଳିବା ପରେ ଦିଲ୍ଲୀ ଦମକଳ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚିିଥିଲା । ଅନେକ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ରାତି ୨ଟାରେ ବନ୍ଦ ଥିବା ମାର୍କେଟରେ ନିଆଁ ଲାଗିବା ଯୋଗୁଁ ଏକ ବଡ ଦୁର୍ଘଟଣାରୁ ନିଶ୍ଚିତ ଭାବେ ରକ୍ଷା ପାଇଛି । ଦିଲ୍ଲୀର ସରୋଜିନୀ ମାର୍କେଟ ବହୁତ ବ୍ୟସ୍ତବହୁଳ ମାର୍କେଟ । ବହୁତ ଶସ୍ତା ଏବଂ ଭଲ ଜିନିଷ ପାଇଁ ଏହି ମାର୍କେଟ ଜଣାଶୁଣା । ତେବେ ନିଆଁ କେମିତି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାନାହିଁ । ନିଆଁ ସର୍ଟସର୍କିଟ ଯୋଗୁଁ ଲାଗିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀର କରାଓ୍ଵଲ ନଗର ଅଞ୍ଚଳ ସ୍ଥିତ ଏକପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ସବୁ ପ୍ଲାଷ୍ଟିକ ଜିନିଷ ତରଳିଯାଇଥିଲା । ଘଟଣା ସ୍ଥଳରେ ୮ଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.