ବ୍ୟାଗ୍‌ରୁ ମିଳିଲା ୫ ମାସର ଜୀବନ୍ତ ଶିଶୁ ସହ ୫ ହଜାର ଟଙ୍କା ଓ ଭାବପ୍ରବଣପୂର୍ଣ୍ଣ ଚିଠି

ଆମେଠି : ଉତ୍ତର ପ୍ରଦେଶ ଆମେଠି ଜିଲ୍ଳାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଅଜଣା ବ୍ୟକ୍ତି ବୁଧବାର ସନ୍ଧ୍ୟାରେ ନିଜର ୫ ମାସର ଶିଶୁକୁ ବ୍ୟାଗ୍‌ରେ ପୁରାଇ ଏକ ପରିତ୍ୟକ୍ତ ସ୍ଥାନରେ ଛାଡିଯାଇଛନ୍ତି । ତେବେ ବ୍ୟାଗ୍‌ରେ ଶିଶୁର ଆବଶ୍ୟକୀୟ ଡ୍ରେସ୍‌,ଜୋତା, କ୍ଷୀର ବୋତଲ, ୫ ହଜାର ଟଙ୍କା ସହ ଏକ ଭାବପ୍ରବଣପୂର୍ଣ୍ଣ ଚିଠି ଲେଖି ଛାଡିଯାଇଛନ୍ତି ବାପା ।

ଚିଠିରେ ଲେଖାଥିଲା ଏପରି,- ‘ଏହି ଶିଶୁଟି ମୋର । ମୁଁ ଶିଶୁଟିକୁ ଆପଣଙ୍କ ପାଖରେ ୬/୭ ମାସ ପାଇଁ ଛାଡିଯାଉଛି । ଆପଣଙ୍କ ବିଷୟରେ ମୁଁ ବହୁତ କିଛି ଶୁଣିଛି । ଆପଣ ଜଣେ ଭଲ ଲୋକ । ମୋ ଶୁଶୁର ଯତ୍ନ ନେଇପାରିବେ ବୋଲି ମୁଁ ନିଶ୍ଚିତ । ଆପଣଙ୍କ ପାଇଁ ୫ ହଜାର ଟଙ୍କା ଛାଡିଯାଉଛି । ପ୍ରତି ମାସ ଆପଣଙ୍କ ପାଖକୁ ୫ ହଜାର ଟଙ୍କା ଲେଖାଁଏ ପଠାଇବି । ଶିଶୁଟିର ମା’ ନାହିଁ । ଶିଶୁ ପ୍ରତି ପରିବାର ପକ୍ଷରୁ ବିପଦ ରହିଛି ।

ତେଣୁ ମୁଁ ହାତ ଯୋଡି ଅନୁରୋଧ କରୁଛି ଯେ ଆପଣ ଶିଶୁଟିକୁ ୬ମାସ ପାଇଁ ପାଖରେ ରଖିଥାନ୍ତୁ । ମୁଁ ଆପଣଙ୍କୁ ଦେଖା କରି ଶିଶୁଟିକୁ ଦେଇ ପାରିଥାନ୍ତି । ହେଲେ ମୋର କିଛି ଅସୁବିଧା ଯୋଗୁ ମୁଁ ଆପଣଙ୍କୁ ଦେଖା କରିପାରୁନାହିଁ । ମୁଁ ଠିକ୍‌ ସମୟରେ ଆପଣଙ୍କୁ ଦେଖା କରି ମୋର ଶିଶୁକୁ ନେଇଯିବି । ଦୟାକରି ଏକଥା କାହାକୁ କହିବେ ନାହଁ । ନଚେତ୍‌ ଏକଥା ସମସ୍ତେ ଜାଣିଯିବେ ।’

ବ୍ୟକ୍ତି ଜଣକ ଆହୁରି ଲେଖିଛନ୍ତି- ‘ ମୁଁ ଚାହୁଁନାହିଁ ଏକଥା କେହି ଜାଣନ୍ତୁ । ଯଦି କେହି ପିଲା ବିଷୟରେ ପଚାରନ୍ତି ତେବେ କହିବେ ଯେ ଶିଶୁଟି ମୋର ନୁହେଁ, ମୋ ସାଙ୍ଗର । ଶିଶୁର ମା’ ମେଡିକାଲରେ କୋମାରେ ଅଛନ୍ତି । ଯଦି ଆପଣ ଅଧିକ ଟଙ୍କା ଆଶା କରନ୍ତି ତେବେ କହିବେ ମୁଁ ପଠାଇଦେବି । ତେବେ ଭଗବାନ ନ କରନ୍ତୁ, ସେମିତି କିଛି ଅଘଟଣ ଯଦି ଶିଶୁ ପ୍ରତି ଘଟେ ସେଥିପାଇଁ ମୁଁ ଆପଣଙ୍କୁ ଦୋଷ ଦେବି ନାହିଁ । ଆପଣଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ଶିଶୁଟି ଅଛୁଆ ନୁହେଁ, ପଣ୍ଡିତ ଘରର ପୁଅ । ’ ଏଭଳି ଆବେଗଭରା ଚିଠିଟି ଜଣେ ବାପାର ସ୍ନେହ ଓ ପ୍ରେମକୁ ବୟାନ କରୁଥିବା ବେଳେ କେଉଁ ପରିସ୍ଥିତିରେ ଏପରି ଘଟିଲା ତାହା ଜଣାପଡ଼ିନାହିଁ ।

ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ୧୧୨ ନମ୍ବରକୁ ଫୋନ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇ ପିଆରବି ୨୭୮୦ ରାକେଶ କୁମାର ସରୋଜ ଓ ଉମେଶ ଦୁବେ ତ୍ରିଲୋକପୁର ଆନନ୍ଦ ଓଝାଙ୍କ ଘର ନିକଟରେ ପହଞ୍ଚିଥିଲେ। ଜଣେ ଅଜଣା ବ୍ୟକ୍ତି ସେଠାରେ ଏକ ନବଜାତ ଶିଶୁକୁ ବ୍ୟାଗରେ ରଖି ଚାଲିଯାଇଥିଲା । ପୋଲିସ ଶିଶୁଟିକୁ ଉଦ୍ଧାର କରିଥିଲେ ।
ତେବେ ବ୍ୟାଗ୍‌ ଭିତରୁ ଭାବପ୍ରବଣ ଭରା ଚିଠିଟି ପାଇବା ପରେ ପୋଲିସ ଠିକଣା ଲେଖାଯାଇଥିବା ବ୍ୟକ୍ତିଙ୍କୁ ଶିଶୁଟିକୁ ହସ୍ତାନ୍ତର କରିବା ପାଇଁ ଡକାଇ ଥିବା ଜଣାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା କଥା ଶୁଣିବାକୁ ମିଳିଛି ।

 

Leave A Reply

Your email address will not be published.