ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ, ଦୁଇ ଅଗ୍ନିଶମ କର୍ମଚାରୀ ମୃତ

ପେରୁର ଲିମା ବିମାନବନ୍ଦରରେ ଦୁର୍ଘଟଣା । ରନଓ୍ଵେରେ ଦମକଳ ବାହିନୀର ଏକ ଟ୍ରକ ସହ ବିମାନର ଧକ୍କା ହେବା ଫଳରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପେରୁର ଜର୍ଜ ଚାଓ୍ଵେଜ ଅନ୍ତର୍ଜାତୀୟ ବିମାନରେ ଘଟିଛି। ଦୁର୍ଘଟଣା ଏତେ ଅଧିକ ମାତ୍ରାରେ ଥିଲା ଯେ, ଟ୍ରକଟି ଧକ୍କା ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।
ପେରୁର LATAM ଏୟାରଲାଇନ୍ସର ବିମାନ ଉଡାଣ ଭରିବା ସମୟରେ ରନଓ୍ଵେରେ ବୀପରିତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ବିମାନର ଗୋଟିଏ ଡେଣା ଟ୍ରକ ସହ ଘସି ହୋଇ ଯାଇଥିଲା ଏବଂ ଏଥିରେ ନିଆଁ ଲାଗି ଯାଇଥିଲା। ସେହି ସମୟରେ ବିମାନରେ ୧୦୨ ଯାତ୍ରୀଙ୍କ ସହିତ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। ସମସ୍ତେ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।
ଦୁର୍ଘଟଣା ପରେ ବିମାନ ବନ୍ଦରରେ ସେବା କିଛି ସମୟ ବାତିଲ କରାଯାଇଥିଲା। ଅପରାହ୍ନ ୧ଟା ଯାଏଁ ବିମାନବନ୍ଦରର ସମସ୍ତ ସେବା ବନ୍ଦ ରହିବ ବୋଲି ଖବର ମିଳିଛି । ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ ଆହତ ମଧ୍ୟ ଲାଗିନାହିଁ। ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି। ଦୁର୍ଘଟଣା ମାତ୍ରେ ବିମାନ ବନ୍ଦରର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ।
🚨AGORA: Avião da Latam bate em caminhão durante decolagem e pega fogo no Aeroporto Internacional Jorge Chávez, no Peru.
— CHOQUEI (@choquei) November 18, 2022
ତେବେ LATAM ଏୟାରଲାଇନ୍ସ କହିଛି କି, ଦୁର୍ଘଟଣାଗ୍ରସ୍ତ ହେଇଥିବା LA2213 ଘରୋଇ ଲିମା ଜଲିୟାକାକୁ ଉଡାଣ ଭରିଥାଏ। ଏହି ମାସରେ LATAM ଏୟାରଲାଇନ୍ସର ଏହା ଦ୍ୱିତୀୟ ଘଟଣା। ନିକଟରେ ଏହି ବିମାନର କିଛି ଅଂଶ ଭୟଙ୍କର ତୋଫାନରେ ନଷ୍ଟ ହୋଇଯାଇଥିଲା। ତେଣୁ କରି ବିମାନର ଆପତ୍ତକାଳୀନ ଲ୍ୟାଣ୍ଡିଂ କରିଥିଲା ।
ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ଏୟାରପୋର୍ଟରୁ ବାଙ୍ଗାଲୋର ଯାଉଥିବା ଇଣ୍ଡିଗୋ ବିମାନରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଥିଲା। ଇଂଜିନରେ ନିଆ ଲାଗିବା ଜାଣିବା ପରେ ପାଇଲଟ ତୁରନ୍ତ ଏହାର ଆପତ୍ତକାଳୀନ ଲ୍ୟାଣ୍ଡିଂ କରିଥିଲେ। ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।