Below header

ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ସହ ପାଦ ମିଳାଇଲେ RBIର ପୂର୍ବତନ ଗଭର୍ଣ୍ଣର ରାଘୁରାମ ରାଜନ; ୧୦୦ ଦିନ ନିକଟତର ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ରାଜସ୍ଥାନର ସାୱାଇ ମାଧୋପୁରରେ ବୁଧବାର ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ। ସେ ରାହୁଲ ଗାନ୍ଧୀଙ୍କ ସହ ପାଦ ମିଶାଇଛନ୍ତି। ରଘୁରାମ ରାଜନ ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଅନେକ ଥର ସମାଲୋଚନା କରି ସାରିଛନ୍ତି। ରାଜସ୍ଥାନରେ ଭରତ ଯୋଡୋ ଯାତ୍ରା ୪ ଡିସେମ୍ବରରୁ ଜାରି ରହିଛି। ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି।

ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବା ପୂର୍ବରୁ ଅର୍ଥନୀତିଜ୍ଞ ରଘୁରାମ ରାଜନ ରାହୁଲ ଗାନ୍ଧୀଙ୍କ ସହ ବହୁତ ଲମ୍ବା ସମୟ ଧରି ବାର୍ତ୍ତାଳାପ କରିଥିଲେ। ଏହାପରେ ସେ ପଦଯାତ୍ରାରେ ସାମିଲ ହୋଇଥିଲେ। ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାରରେ ହିଁ ରଘୁରାମ ରାଜନଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର କରାଯାଇଥିଲା। ମୋଦି ସରକାରରେ ସେ ପଦ ଛାଡିଥିଲେ। ଏହାପରେ ରାଜନ ଅର୍ଥନୈତିକ ପ୍ରସଙ୍ଗରେ ନିଜର ମତ ରଖି ଅନେକ ବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଯୋଗ ଦେବାର ଏକ ଫଟୋ କଂଗ୍ରେସ ଏବଂ ଭାରତ ଯୋଡ଼ୋ ଯାତ୍ରାର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଏଥିରେ ଲେଖାଯାଇଛି, ‘ରଘୁରାମ ରାଜନ, ଆରବିଆଇର ପୂର୍ବତନ ଗଭର୍ଣ୍ଣର, ରାହୁଲ ଗାନ୍ଧୀଙ୍କ ସହିତ… ଘୃଣା ବିରୋଧରେ ଦେଶକୁ ଏକଜୁଟ କରିବା ପାଇଁ ଲୋକଙ୍କ ବର୍ଦ୍ଧିତ ସଂଖ୍ୟା ଦର୍ଶାଉଛି ଯେ ଆମେ ସଫଳ ହେବୁ’। ସେପଟେ ଭାରତ ଯୋଡ଼ୋ ଯାତ୍ରା ତରଫରୁ ରଘୁରାମ ରାଜନଙ୍କୁ ସ୍ୱାଗତ କରାଯିବାର ଟ୍ଵିଟ୍‌ ମଧ୍ୟ କରାଯାଇଛି।

କହି ରଖୁଛୁ, ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ଭରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିବାକୁ ଯାଉଛି। କଂଗ୍ରେସର ଏହି ଦେଶବ୍ୟାପୀ ପଦଯାତ୍ରା ରାଜସ୍ଥାନ ପରେ ହରିୟାଣାରେ ପ୍ରବେଶ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.