ଭାରତର ସବୁଠୁ ମହଙ୍ଗା ଘର କିଣିଲେ ଅରବପତି ରାଧାକିଶନ ଦମାନି, ପାଖାପାଖି ୬୦ ହଜାର ବର୍ଗଫୁଟରେ ତିଆରି ହୋଇଛି ବିଲିଡିଂ

କେନ୍ୟୁଜ୍(ବ୍ୟୁରୋ):  ୧ ହଜାର ୧ କୋଟିର ଘର କିଣିଲେ ଅରବପତି ରାଧାକିଶନ ଦମାନି । ଖୁଚୁରା କମ୍ପାନୀ ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନି ଭାରତର ସବୁଠୁ ମହଙ୍ଗା ଘର କିଣିଛନ୍ତି । ଦକ୍ଷିଣ ମୁମ୍ବାଇର ଆଲିସାନ୍ ଅଞ୍ଚଳ ମାଲାବାର ହିଲଠାରେ ୧ ହଜାର ୧ କୋଟି ଟଙ୍କା ଦେଇ ଘର କିଣିଥିବା ଜଣାପଡ଼ିଛି । ଗ୍ରାଉଣ୍ଡ ପ୍ଲସ ଦୁଇ ମହଲା ବିଶିଷ୍ଟ ଏହି ବଙ୍ଗଳା ମଧୁକୁଞ୍ଜ ନାରାୟଣ ଡାଭୋଲକର ମାର୍ଗରେ ୧.୫ ଏକରରୁ ଅଧିକ ଜମିରେ ବ୍ୟାପିଛି । ପାଖାପାଖି ୬୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି ବିଲିଡିଂ ତିଆରି ହୋଇଛି ।

ରେଡି ରେକନର ରେଟ୍ ଆଧାରରେ ସମ୍ପତ୍ତିର ବଜାର ମୂଲ୍ୟ ୭୨୪ କୋଟି ଟଙ୍କା ହେବ । ଦମାନି ପରିବାର କାର୍ଯ୍ୟାଳୟ ଏଥିପାଇଁ ଷ୍ଟାମ୍ ଡ୍ୟୁଟି ବାବଦରେ ୩୦ କୋଟି ଟଙ୍କା ଦେଇଛନ୍ତି । ଏହି ସମ୍ପତ୍ତିର ପୁନଃ ବିକାଶ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦେଶର ଏହି ସର୍ବାଧିକ ମୂଲ୍ୟର ଆବାସିକ କାରବାର ଚଳିତ ସପ୍ତାହରେ ହୋଇଥିଲା । ଅରବପତି ଦମାନି ଗତ ଦୁଇ ମାସ ମଧ୍ୟରେ ଗୃହ ସମ୍ପତ୍ତିର ୩ଟି ବଡ଼ କାରବାର କରିଛନ୍ତି । ଥାନେଠାରେ ମୋଣ୍ଡଲିଜ୍ ଇଣ୍ଡିଆଠାରୁ ୮ ଏକରର ଜମି କଣିଥିଲା ଦମାନି କମ୍ପାନୀ । ଏଥିପାଇଁ ୨୫୦ କୋଟି ଟଙ୍କାର କାରବାର ହୋଇଥିଲା । ୧୯ ମାର୍ଚ୍ଚରେ ଦମାନି ୩୯ ହଜାର ବର୍ଗଫୁଟର ଏକ ଜମି ୧୧୩ କୋଟି ଟଙ୍କା ମୂଲ୍ୟରେ କିଣିଥିଲେ ।

Leave A Reply

Your email address will not be published.