କରୋନା କବ୍‌ଜାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌, ପ୍ରେସିଡେନ୍ସିଆଲ ପ୍ୟାଲେସ୍‌ ଜାରି କଲା ସୂଚନା

କରୋନା ଭାଇରସ୍‌ ସଂକ୍ରମଣ ଏବେ ବି ସାରା ବିଶ୍ୱରେ ଜାରି ରହିଛି। ଏବେ ଏହି ଭାଇରସ୍‌ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ମଧ୍ୟ ନିଜ କବ୍‌ଜାକୁ ନେଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଷ୍ଟ୍ରପତି କୋଭିଡ୍‌ ପଜିଟିଭ୍‌ ହୋଇଥିବା ନେଇ ଫ୍ରାନ୍ସର ପ୍ରେସିଡେନ୍ସିଆଲ ପ୍ୟାଲେସ୍‌ ତରଫରୁ ସୂଚନା ଦିଆଯାଇଛି।

ରିପୋର୍ଟ ମୁତାବକ, କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ଇମାନୁଏଲ୍‌ ମାକ୍ରୋନ୍‌ଙ୍କ କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କରୋନା ସଂକ୍ରମିତ ହେବା ପରେ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ନିଜକୁ ଆଇସୋଲେଟ୍‌ କରିଛନ୍ତି। ରାଷ୍ଟ୍ରପତି ଆଇସୋଲେସନ୍‌ରେ ରହିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଏବେ ଯାଏଁ ଦୁନିଆର ବହୁ ବଡ଼ ବଡ଼ ନେତା କରୋନା ସଂକ୍ରମିତ ହୋଇଛନ୍ତି। ରାଷ୍ଟ୍ରପତି ଇମାନୁଏଲ୍‌ଙ୍କ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଇମାନୁଏଲ୍‌ ମାକ୍ରୋନ୍‌ ଆସନ୍ତା ସପ୍ତାହରେ ଲେବନାନ୍‌ ଗସ୍ତ କରିଥାନ୍ତେ। ମାତ୍ର କୋଭିଡ୍‌ ପଜିଟିଭ୍‌ ହେବା ପରେ ତାଙ୍କ ଗସ୍ତ ବାତିଲ ହେବା ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.