କୋଭିଡ୍‌ କାରଣରୁ ଉଚ୍ଚଶିକ୍ଷା ପ୍ରଭାବିତ ନହେବା ପାଇଁ UGCର ପ୍ରୟାସ: ୨୦୨୧ ଜାନୁଆରୀରୁ ଆରମ୍ଭ ହୋଇପାରେ ସଂପୂର୍ଣ୍ଣ ଅନ୍‌ଲାଇନ୍‌ ଡିଗ୍ରୀ ପାଠ୍ୟକ୍ରମ

ନୂଆଦିଲ୍ଲୀ: କୋଭିଡ୍‌ କଟକଣା ମଧ୍ୟରେ ଦେଶରେ ଉଚ୍ଚଶିକ୍ଷା ଯେପରି ପ୍ରଭାବିତ ନହେବ, ସେ ନେଇ ପଦକ୍ଷେପ ନେଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- UGC । ଦେଶର ପ୍ରମୁଖ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଆସନ୍ତା ଜାନୁଆରୀ ୨୦୨୧ରୁ ସଂପୂର୍ଣ୍ଣ ଅନ୍‌ଲାଇନ୍‌ ସ୍ନାତକ ତଥା ଡିଗ୍ରୀ ପାଠ୍ୟକ୍ରମ ଉପଲବ୍ଧ କରିପାରନ୍ତି। UGC ପକ୍ଷରୁ ମଧ୍ୟ ଏଥିପାଇଁ ଏକ ପ୍ରକ୍ରିୟା ଆରମ୍ଭ ହୋଇପାରେ।

ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ଲାସରେ ପାଠପଠା ଓ ଡିଜିଟାଲ ପାଠପଢ଼ା ମଧ୍ୟରେ ବିଭେଦ ଦୂର କରିବା ପାଇଁ ଏପରି ପଦକ୍ଷେପ ନିଆଯିବାର ଲକ୍ଷ୍ୟ ରଖାଯାଇଛି। ଦେଶର ପ୍ରମୁଖ ଏକାଡେମିକ୍‌ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ UGC ଏନେଇ ବିଜ୍ଞପ୍ତି ଜାରି କରିବା ସହ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଉପରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଜାରି କରିଛି।

ଆକ୍ରେଡିଏସନ୍‌ ସ୍କୋର୍‌ ୩.୨୬ ଉପରେ ଥିବା କିମ୍ବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଂ ଫ୍ରେମୱାର୍କ ଦ୍ୱାରା ନିର୍ଦ୍ଧାରିତ ଦେଶର ଟପ୍‌ ୧୦୦ ର‍୍ୟାଙ୍କ ଉପରେ ଥିବା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ପ୍ରାଥମିକ ଅନୁମୋଦନ ବିନା ଏହି ଅନ୍‌ଲାଇନ୍‌ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ UGC ପକ୍ଷରୁ କୁହାଯାଇଛି। ଯାହାଦ୍ୱାରା ବର୍ତ୍ତମାନର କରୋନା ସଂକ୍ରମଣ ସମୟରେ ଇଣ୍ଟରନେଟ, ଇ-ଲର୍ଣ୍ଣିଂ ସାମଗ୍ରୀ ସହିତ ପୂର୍ଣ୍ଣ ପାଠ୍ୟକ୍ରମ ପ୍ରଦାନ କରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତାକୁ କମ୍‌ କରିବାର ଲକ୍ଷ୍ୟ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.