ନାବାଳିକା ଗଣ ବଳାତ୍କାର ମାମଲା, ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତି ସହ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ : ଚିତ୍ରକୂଟ ନାବାଳିକା ଗଣ ବଳାତ୍କାର ମାମଲାରେ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ଗାୟତ୍ରୀ ପ୍ରଜାପତିଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗାୟତ୍ରୀଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଶୁଣାଯାଇଛି ।

ସୂଚାନନୁସାରେ ଗାୟତ୍ରୀ ପ୍ରସାଦ ପ୍ରଜାପତି, ଅଶୋକ ତିଓ୍ଵାରୀ ଓ ଆଶୀଷ ଶୁକ୍ଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହି ୩ ଜଣଙ୍କୁ ଗଣ ଧର୍ଷଣ ଓ ପୋକୋସ ଦଫାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ବିକାଶ ବର୍ମା, ଅମରେନ୍ଦ୍ର ସିଂହ ଓରଫ ପିଣ୍ଟୁ,ଚନ୍ଦ୍ରପାଳ ଓ ରୁପେଶଙ୍କୁ ଦୋଷମୁକ୍ତ କରାଯାଇଛି ।

ଗାୟତ୍ରୀ ପ୍ରଜାପତିଙ୍କ ଉପରେ କ’ଣ ଥିଲା ଅଭିଯୋଗ

ସମାଜବାଦୀ ସରକାରରେ ଗାୟତ୍ରୀ ପ୍ରସାଦ ପ୍ରଜାପତି ଖଣି ମନ୍ତ୍ରୀ ରୁପେ କାର୍ଯ୍ୟକରୁଥିଲେ । ଗାୟତ୍ରୀ ଓ ଅନ୍ୟ ୬ ଜଣ ବ୍ୟକ୍ତିଙ୍କ ଉପରେ ଚିତ୍ରକୂଟର ଜଣେ ମହିଳା ତାଙ୍କ ନାବାଳିକା ଝିଅଙ୍କୁ ଏମାନେ ଗଣ ଧର୍ଷଣ କରିଥିବା ନେଇ ଅଭିଯୋଗ ଆଣିଥିଲେ । ମହିଳା ତାଙ୍କ ଅଭିଯୋଗରେ କହିଥିଲେ ଯେ ତାଙ୍କ ଝିଅ ମନ୍ତ୍ରୀଙ୍କୁ ଭେଟିବା ପାଇଁ ମନ୍ତ୍ରୀଙ୍କ ଘରକୁ ଆସିଥିଲେ । ସେଠାରେ ମନ୍ତ୍ରୀଙ୍କ ସହ ତାଙ୍କ ସାଥୀମାନେ ଝିଅକୁ ନିଶା ଦେଇ ଗଣ ଧର୍ଷଣ କରିଥିଲେ ।

ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଗାୟତ୍ରୀଙ୍କ ତରଫରୁ ପରିବାର ଲୋକଙ୍କୁ ଧମକ ଦିଆଯାଇଥିଲା । ପରିବାର ଲୋକଙ୍କୁ ଏଫଆଇଆର୍‌ କରିବା ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗାୟତ୍ରୀଙ୍କ ନାମରେ ଗୌତମପଲ୍ଲୀ ଥାନାରେ ଏଫଆଇଆର୍‌ ହୋଇଥିଲା । ପରେ ଗାୟତ୍ରୀଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା ।

Leave A Reply

Your email address will not be published.