Below header

ମୋବାଇଲ୍‌ ଆପ୍‌ରୁ ଠାବ ହେଲା ୫ ବର୍ଷ ତଳେ ହଜିଥିବା ଝିଅ

୫ ବର୍ଷ ତଳେ ହଜିଥିବା ଝିଅକୁ ମୋବାଇଲ୍‌ ଆପ୍‌ (truecaller) ମାଧ୍ୟମରେ ଖୋଜି ପାଇଲା ପୋଲିସ। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଏବଂ ହରଦୋଇ ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି।

ପୋଲିସ ତରଫରୁ ମିଳିଥିବା ସୂଚନାନୁଯାୟୀ, ୨୦୧୪ ମସିହାରେ ହରଦୋଇରେ ଏକ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାର ତରଫରୁ ମାମଲା ରୁଜୁ କରାଯାଇଥିଲା। ଯେଉଁ ତିନି ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା ପୋଲିସ ସେତେବେଳେ ସେମାନଙ୍କୁ ଡାକି ପଚରାଉଚୁରା କରି ପରେ ଗିରଫ କରିଥିଲା। ପରେ ଝିଅର ଘରକୁ କରାଯାଇଥିବା ପ୍ରାୟ ୫୦୦୦ ଫୋନ୍‌ କଲ୍‌ର ଡାଟା ଏସ୍‌ଟିଏଫ୍‌ ସଂଗ୍ରହ କରିଥିଲା। ସେହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ଉପରେ ପୋଲିସର ସନ୍ଦେହ ହୋଇଥିଲା। ସେହି ନମ୍ବରରୁ ଅପହୃତାଙ୍କ ମା’ଙ୍କ ଫୋନ୍‌କୁ ବାରମ୍ବାର ମିସଡ୍‌ କଲ୍‌ ଆସୁଥିଲା। ପୋଲିସ ସେହି ନମ୍ବର ଯାଞ୍ଚ କରିବାରୁ ତାହା ଅପହୃତା ନାବାଳିକାଙ୍କ ନାଁରେ ଥିବା ଜଣାପଡ଼ିଥିଲା। ପରେ ପୋଲିସ ଲୋକେସନ୍‌ ଟ୍ରାକ୍‌ କରି ତାଙ୍କୁ ପାଇବାରେ ସଫଳ ହୋଇଥିଲା।

ଏହାସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ହୋଟେଲ୍‌ କିଚେନ୍‌ରେ ଟିକ୍‌ଟକ୍‌ ଭିଡିଓ କରିବା, ଚାକିରିରୁ ବିଦା ହେଲେ ମହିଳା

ତେବେ ଅପହରଣ ବେଳେ ନାବାଳିକାଙ୍କୁ ୧୪ ବର୍ଷ ହୋଇଥିବା ବେଳେ ଏବେ ସେ ୧୯ ବର୍ଷରେ ଉପନୀତ ହୋଇଛନ୍ତି ଓ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ଉଦ୍ଧାର ପରେ ଅପହୃତା ଦେଇଥିବା ବୟାନ ଥିଲା ଏମିତି:

୨୦୧୪ ମେ ୨୦ ତାରିଖରେ ଝିଅଟି ପ୍ରେମିକ ସତ୍ୟେନ୍ଦ୍ରକୁ ବିବାହ କରିବା ପାଇଁ ଘରୁ ଲୁଚି ପଳାଇ ଆସିଥିଲେ। ମାତ୍ର ସେ ଷ୍ଟେସନ୍‌ରେ ପହଞ୍ଚିବା ପରେ ପ୍ରେମିକକୁ ନ ପାଇବାରୁ ଟ୍ରେନ୍‌ରେ କାନପୁର ଚାଲିଆସିଥିଲା। ସେଠାରେ ଝଙ୍କାର ନାମକ ବ୍ୟକ୍ତି ସହ ତାର ପରିଚୟ ହୋଇଥିଲା। ଝଙ୍କାର ସୀତାପୁରର ନରେନ୍ଦ୍ରଙ୍କୁ ୫୦ ହଜାର ଟଙ୍କାରେ ସମ୍ପୃକ୍ତ ନାବାଳିକାକୁ ବିକ୍ରି କରିଦେଇଥିଲା। ପରେ ନରେନ୍ଦ୍ର ନିଜ ପୁଅ ଆନନ୍ଦ ସହ ନାବାଳିକାର ବିବାହ କରାଇଥିଲେ। ଏବେ ତାଙ୍କର ଏକ ୩ ବର୍ଷର ପୁଅ ରହିଛି। ଝିଅର କହିବାନୁସାରେ ତାକୁ କେବଳ ତା’ମା’ଙ୍କ ନମ୍ବର ମନେ ଥିଲା। ଏଣୁ ସେ ମା’ଙ୍କୁ ଫୋନ୍‌ କରୁଥିଲା। ମାତ୍ର ନିଜ କର୍ମ ପାଇଁ ମା’ଙ୍କ ସହ କଥା ହେବାକୁ ତା ସାହସ ନଥିବାରୁ ସେ କିଛି କହିପାରୁନଥିବା କହିଛି। ତେବେ ପୋଲିସ ପକ୍ଷରୁ ସିଆର୍‌ପିସିର ଧାରା ୧୬୪ ଅନୁସାରେ ଅପହୃତାର ବୟାନ ନିଆଯାଇଛି। ବାକି ଫଇସଲା କୋର୍ଟ କରିବ ବୋଲି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.