Below header

ଆଖି ବୁଜିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ଗୋଆ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ। ଅଗ୍ନାଶୟ କର୍କଟରୋଗରେ ପୀଡ଼ିତ ପାରିକରଙ୍କର ୬୩ବର୍ଷ ବୟସରେ ଗୋଆ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତାକାଲି ଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ବଞ୍ଚାଇ ରଖିବାକୁ ଡାକ୍ତରମାନେ ଆପ୍ରାଣ ଉଦ୍ୟମ ଚଳାଇ ବିଫଳ ହୋଇଥିଲେ।  ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ପାଇଁ ଗୋଆର ନେତାମାନଙ୍କର ଭିଡ଼ ଲାଗି ରହିଥିଲା ।

ସେପଟେ ପାରିକରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ କେନ୍ଦ୍ର ମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପାରିକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାରିକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଦେଶ ଜଣେ ମହାନ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଉରି ଆତଙ୍କୀ ହମ୍‌ଲା ପରେ ପ୍ରତିଶୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରମୁଖ ଭୂମିକା ନେଇଥିଲେ ପାରିକର ।

୨୦୧୮ ଫେବ୍ରୁଆରି ମାସରୁ ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ପାରିକର। ଗତ କିଛି ମାସ ଧରି ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ଆମେରିକାରେ ତାଙ୍କର ଚିକିତ୍ସା ଚାଲିଥିଲା। ଅସୁସ୍ଥତା ସତ୍ତ୍ୱେ ୨୦୧୮ ଡିସେମ୍ବରରୁ ସେ କାର‌୍ୟ୍ୟାରେ ଯୋଗ ଦେଇଥିଲେ। ନାକରେ ଟ୍ୟୁବ୍‌ ଲାଗିଥିଲେ ମଧ୍ୟ କାମ କରୁଥିଲେ ପାରିକର। ଅସୁସ୍ଥାତା ଭିତରେ ଜାନୁଆରି ୩୦ରେ ରାଜ୍ୟର ବଜେଟ ଉପସ୍ଥାପନ କରିଥିଲେ। ପାରିକର ଜଣେ ସଚ୍ଚୋଟ ରାଜନେତା ଭାବେ ବେଶ ଆଦୃତ। ସରଳ ଜୀବନଯାପନ ଓ ନିଷ୍ଠାପର କାର୍ଯ୍ୟଶୈଳୀ ପାଇଁ ସେ ଦେଶବ୍ୟାପୀ ବେଶ ଜଣାଶୁଣା।

ଆଇଆଇଟି ବମ୍ବେରୁ ଇଂଜିନିୟରିଂରେ ସ୍ନାତକ ଲାଭ କରିଥିବା ପାରିକର ଛାତ୍ରାବସ୍ଥାରୁ ଆରଏସଏସ ସହ ଜଡ଼ିତ ଥିଲେ। ୧୯୯୪ରେ ପ୍ରଥମ ଥର ପାଇଁ ଗୋଆ ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ। ମନୋହର ପାରିକର ୨୦୦୦ରୁ ୨୦୦୨, ୨୦୦୨ରୁ ୨୦୦୫ ଓ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ମଧ୍ୟ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ସମୟରେ ସେ ଉତ୍ତରପ୍ରଦେଶରୁ ଥିଲେ ରାଜ୍ୟସଭା ସଦସ୍ୟ। ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ୧୪ ମାର୍ଚ୍ଚ ୨୦୧୭ରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ଉରି ଆକ୍ରମଣ ପରେ ଭାରତର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା। ଏହାସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କିଣା ନେଇ ଚୁକ୍ତି ତାଙ୍କ କାର୍ଯ୍ୟକାଳରେ ସ୍ୱାକ୍ଷରିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.