Below header

ପୋଷା କୁକୁର ଆକ୍ରମଣରେ ଆହତ ହୋଇଥିଲେ ମହିଳା, ଏବେ ମାଲିକଙ୍କୁ ଦେବାକୁ ପଡ଼ିବ ୨ ଲକ୍ଷ ଟଙ୍କା! ୧୧ ବିଦେଶୀ ପ୍ରଜାତି ଉପରେ ଲାଗିଲା ପ୍ରତିବନ୍ଧକ

ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରୁ ପୋଷା କୁକୁରଙ୍କ ଦ୍ୱାରା ଆକ୍ରମଣ ଖବର ସାମ୍ନାକୁ ଆସୁଛି। କୁକୁରମାନେ ଲୋକଙ୍କୁ କାମୁଡ଼ି ଲହୁଲୁହାଣ କରି ପକାଉଛନ୍ତି। କୁକୁର ଆକ୍ରମଣର କେତେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଲୋକେ ରାସ୍ତାଘାଟ, ସୋସାଇଟି ଗଳି ଏବଂ ଲିଫ୍ଟ ଆଦିରେ ଯିବାକୁ ଭୟ କରୁଛନ୍ତି। ଲଗାତାର ଭାବେ କୁକୁର ଆକ୍ରମଣ ଘଟଣା ବୃଦ୍ଧି ପାଇବା ଭିତରେ ଗୁରୁଗ୍ରାମ ଉପଭୋକ୍ତା ଫୋରମ୍‌ ପକ୍ଷରୁ ଏକ ନିଷ୍ପତ୍ତି ସାମ୍ନାକୁ ଆସିଛି। ଗୁରୁଗ୍ରାମର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ୍‌ ପୋଷା କୁକୁର ଆକ୍ରମଣରେ ଗୁରୁତର ଆହତ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି।

ଗୁରୁଗ୍ରାମ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ୍‌ ଗୁରୁଗ୍ରାମ ନଗର ନିଗମ (ଏମ୍‌ସିଜି)କୁ ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି। କହି ରଖୁଛୁ, ମହିଳା ଜଣକ ଡୋଗୋ ଆର୍ଜେଣ୍ଟିନୋ ପ୍ରଜାତିର ଏକ ପୋଷା କୁକୁର ଆକ୍ରମଣରେ ଗମ୍ଭୀର ରୂପେ ଆହତ ହୋଇଥିଲେ। ଘଟଣା ୧୧ ଅଗଷ୍ଟର। ପଶ୍ଚିମବଙ୍ଗର ମୁନ୍ନିଙ୍କୁ ଯେତେବେଳେ କୁକୁର କାମୁଡ଼ିଥିଲା, ସେହି ସମୟରେ ସେ ନିଜ ଭାଉଜଙ୍କ ସହିତ କାମକୁ ଯାଉଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସିଭିଲ୍‌ ହସ୍ପିଟାଲରୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଫୋରମ୍‌ ୩ ମାସ ଭିତରେ ପୋଷା କୁକୁରଙ୍କ ପାଇଁ ଆଇନ ତିଆରି କରିବାକୁ ମଧ୍ୟ ଆଦେଶ ଦେଇଛି। ଫୋରମ୍‌ କହିଛି ଯେ ଯଦି ନିଗମ ଚାହିଁବ, ତା’ ହେଲେ କୁକୁର ମାଲିକଙ୍କଠାରୁ କ୍ଷତିପୂରଣ ରାଶି ଆଦାୟ କରି ପାରିବ। କୁକୁରକୁ ତୁରନ୍ତ ହେପାଜତକୁ ନେବା ଏବଂ ମାଲିକଙ୍କ ଲାଇସେନ୍ସକୁ ତତ୍କାଳ ପ୍ରଭାବରେ ରଦ୍ଦ କରିବାକୁ ଫୋରମ୍‌, ନଗର ନିଗମକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ଫୋରମ୍‌ କେନ୍ଦ୍ର ସରକାରଙ୍କ ଏକ ବିଜ୍ଞପ୍ତି ଜରିଆରେ ୧୧ ବିଦେଶୀ ବ୍ରିଡ୍‌ର କୁକୁରଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ଏବଂ ଆଦେଶ ଦେଇଛି କି, ଏହି କୁକୁରମାନଙ୍କୁ ରଖିବା ଲାଇସେନ୍ସକୁ ରଦ୍ଦ କରାଯାଉ ଏବଂ ପଶୁମାନଙ୍କୁ ହେପାଜତକୁ ନିଆଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.