Below header

ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର, ସରକାରଙ୍କଠାରୁ ମିଳିଲା ଗ୍ରୀନ ସିଗନାଲ

କେନ୍ୟୁଜ(ବ୍ୟୁରୋ):ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର । ଏନେଇ ଗ୍ରୀନ ସିଗନାଲ ମିଳିଛି । କିନ୍ତୁ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗି ଥିବାରୁ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ । ଆଜି ନବୀନଙ୍କ ସହ ପଦ୍ମପୁର କ୍ରିୟାନୁଷ୍ଠାନ କମିଟିର ଆଲୋଚନା କରିଥିଲା । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ପାଇଁ ବିଜୁ ଜନତା ଦଳ ସୁପ୍ରିମୋ ପ୍ରତିଶ୍ରୁତି ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଇସ୍ତାହାରରେ ଏହା ପ୍ରକାଶ ପାଇବ। ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ଏହା କହିଛି ।

ଉପନିର୍ବାଚନ ପାଇଁ ପଦ୍ମପୁର ଜିଲ୍ଲା ଗଠନ ଦାବିରେ ଏବେ ଜୋରଦାର ଆନ୍ଦୋଳନ ଚାଲିଛି । ପୂର୍ବରୁ କ୍ରିୟାନୁଷ୍ଠାନ କମିଟିକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସୁଶାନ୍ତ ସିଂ ଭେଟିଥିଲେ । ଏହାପରେ ଆଜି କମିଟିର ଏକ ପ୍ରତିନିଧି ଦଳ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି କମିଟିରେ ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ଥିଲେ ।

ଆଲୋଚନା ସଫଳ ହେବା ପରେ କ୍ରିୟାନୁଷ୍ଠାନ କମିଟିର ଆବାହକ କହିଥିଲେ, ଏ ଆନ୍ଦୋଳନରେ ଅଢ଼େଇ ଲକ୍ଷ ଲୋକ ସାମିଲ। ତେଣୁ ସେମାନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନିଆଯିବ। ସେପଟେ ଅର୍ଥମନ୍ତ୍ରୀ କହିଛନ୍ତି, କ୍ରିୟାନୁଷ୍ଠାନ କମିଟି ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଛି। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଆଗକୁ ପଦ୍ମପୁର ଉପ ନିର୍ବାଚନ । ତା ପୂର୍ବରୁ ଦୁଇଟି ପ୍ରସଙ୍ଗ ଚାଷୀ, ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନକୁ ନେଇ ସରଗରମ ହୋଇଥିଲା ରାଜନୀତି। ଗତକାଲି ମରୁଡ଼ି ପ୍ରଭାବିତ ଚାଷୀଙ୍କ ପାଇଁ ଦୁଇଶହ କୋଟି ଟଙ୍କାର ଇନପୁଟ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ଜିଲ୍ଲା ମାନ୍ୟତା ଦାବି ପ୍ରସଙ୍ଗରେ ନବୀନଙ୍କ ସହ କ୍ରିୟାନୁଷ୍ଠାନ କମିଟିର ସଫଳ ଆଲୋଚନା ପରେ ବିଜେଡି ଫ୍ରଣ୍ଟପୁଟ୍‌ରେ ଖେଳିବା ପାଇଁ ମଇଦାନ ପ୍ରସ୍ତୁତ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.