ନିଜକୁ ଗୋରକ୍ଷକ କହି ଦଙ୍ଗା ସ୍ଥିତି ଉପୁଜାଉଥିଲା ବିଟ୍ଟୁ ବଜରଙ୍ଗୀ, ୩୧ ଜୁଲାଇରେ ସହଯୋଗୀ ସହିତ ମିଶି ତାଣ୍ଡବ ରଚିଥିଲା ବିଟ୍ଟୁ

ନୁହ ଦଙ୍ଗା ମାମଲାରୁ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀକୁ ଗିରଫ କରିଛି ହରିୟାଣା ପୋଲିସ । ହିଂସା ହେବାର ୧୫ ଦିନ ପରେ ପୋଲିସ ବିଟ୍ଟୁଙ୍କୁ ଗିରଫ କରିଛି । ହିଂସା ମାମଲାରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ବିଟ୍ଟୁ ବଜରଙ୍ଗୀ ଏବଂ ତାର ସହଯୋଗୀ ନୁହରେ ତାଣ୍ଡବ ରଚିଥିଲେ ।

ହରିଣାୟାର ନୁହ, ଗୁରୁଗ୍ରାମରେ ହୋଇଥିବା ସାଂପ୍ରଦାୟିକ ହିଂସା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ନୁହରେ ହୋଇଥିବା ଦଙ୍ଗା ମାମଲାରେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଛି ପୋଲିସ । ବଜରଙ୍ଗ ଦଳର ଫରିଦାବାଦ ୟୁନିଟର ମୁଖ୍ୟ ବିଟ୍ଟୁ ଏହି ହିଂସା ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ଅଭିଯୋଗ ହୋଇଛି । ଫରିଦାବାଦରୁ ଆସିଥିବା ସିସିଟିଭ ଫୁଟେଜରେ ପୋଲିସ ସାଦା ପୋଷାକରେ ବିଟ୍ଟୁ ବଜରଙ୍ଗୀକୁ ପିଛା କରି ଗିରଫ କରିଥିଲା । ଗିରଫ କରିବା ପରେ ପଚରାଉଚରା ଚଳାଇଛି ପୋଲିସ।

ବିଟ୍ଟୁ ବଜରଙ୍ଗର ଉପରେ ଦଙ୍ଗା କରିବା, ହିଂସା କରିବା, ଧମକ ଦେବା, ସରକାରୀ କାମରେ ବାଧା ଉପୁଜାଇବା, ସରକାରୀ ଅଧିକାରୀଙ୍କୁ ଡ୍ୟୁଟି କରିବା ପାଇଁ ରୋକିବା, ମରଣାନ୍ତକ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ ରହିଛି । ବିଟ୍ଟୁ ବଜରଙ୍ଗୀ ଫରିଦାବାଦର ଗାଜିପୁର ବଜାରରେ ଫଳ ଏବଂ ପନିପରିବା ବିକୁଥିବା ବେପାରୀ । ସେ ଗତ ୩ ବର୍ଷ ହେବ ଗୋରକ୍ଷକ ସମୂହ ଚଲାଉଥିଲେ ।

ଅଭିଯୋଗ ମୁତାବକ, ୩୧ ଜୁଲାଇକୁ ନୁହରେ ଧାର୍ମିକ ଯାତ୍ରା ଯାଉଥିବା ବେଳେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ନ ନେବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଶୋଭାଯାତ୍ରା ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ୧୫ରୁ ୨୦ ଜଣ ଲୋକ ଖଣ୍ଡା, ତ୍ରିଶୂଳ ଏବଂ ଅନ୍ୟ ଅସ୍ତ୍ର ଧରି ଆସିଥିଲେ । ଏହାକୁ ରୋକିବା ପାଇଁ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡା ଯାଇଥିଲା । କିନ୍ତୁ ପୋଲିସ ସହିତ ହାତାହାତି ହୋଇଥିଲେ ।

ବିଟ୍ଟୁ ବଜରଙ୍ଗୀ ନାମରେ ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ । ବିଟ୍ଟୁ ବଜରଙ୍ଗୀ ସହିତ ଜଡିତ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ସେ ଲୋକଙ୍କ ଉସୁକାଇବା ଭଳି ଭାଷା ପ୍ରୟୋଗ କରିଥିଲେ ।

ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।  ଏଥିରେ ୨ ଜଣ ହୋମଗାର୍ଡ ଓ ଜଣେ ଇମାମଙ୍କ ସମେତ ୬ ଜଣ ପ୍ରାଣ ହରାଇଥିଲେ । ଏହି ଦଙ୍ଗା ପରେ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ନୁହରେ ମୋବାଇଲ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.