Below header

ସରକାରୀ ଅଫିସ୍‌ କର୍ମଚାରୀଙ୍କୁ ୨ ଦିନ ଛୁଟି ଦେଇ ପାରନ୍ତି ନେପାଳ ସରକାର! ତୈଳ ଖର୍ଚ୍ଚ କମାଇବାକୁ ଚାଲିଛି ବିଚାର…

ପେଟ୍ରୋଲ-ଡିଜେଲ ଦର ଲଗାତାର ଭାବରେ ବଢ଼ି ଚାଲିଛି। ଏହାରି ଭିତରେ ପଡ଼ୋଶୀ ଦେଶ ନେପାଳରୁ ଏକ ଆଶ୍ୱସ୍ତିଜନକ ଖବର ସାମ୍ନାକୁ ଆସିଛି। ଏଠାରେ ତୈଳ ଖର୍ଚ୍ଚ କମାଇବା ପାଇଁ ନେପାଳ ସରକାର ସରକାରୀ ଅଫିସ୍‌ମାନଙ୍କରେ ୨ ଦିନ ଛୁଟି ଘୋଷଣା କରିବା ଉପରେ ବିଚାର କରୁଛନ୍ତି। ବିଦେଶୀ ମୁଦ୍ରା ସଙ୍କଟ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦଗୁଡ଼ିକର ଅକାଶଛୁଆଁ ଦରରେ ବର୍ତ୍ତମାନ ଦେଶ ଜୁଝି ହେଉଛି।

କ୍ୟାବିନେଟ୍‌ ସୂତ୍ରରୁ ଜଣାପଡ଼ିଛି ଯେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ନେପାଳ ଏବଂ ନେପାଳ ଅଏଲ୍‌ କର୍ପୋରେସନ ସରକାରଙ୍କୁ ୨ ଦିନ ସରକାରୀ ଅବକାଶ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି। ପାଖାପାଖି ଦେଢ଼ ମାସ ହେବ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିଣାମସ୍ୱରୂପ ବିଶ୍ୱସ୍ତରୀୟ ତୈଳ ଦରରେ ଅହେତୁକ ବୃଦ୍ଧି ଘଟିଛି। କାରଣ, ରୁଷୀୟ ତୈଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସେପଟେ ଅନ୍ୟ ପ୍ରମୁଖ ତୈଳ ଉତ୍ପାଦକ ଇରାନ ଓ ଭେନେଜୁଏଲାକୁ ବି ପେଟ୍ରୋଲିୟମ୍‌ ବିକ୍ରି ଉପରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ୁଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତଃରାଷ୍ଟ୍ରୀୟ ଯାତ୍ରା ଠପ୍‌ ହେବା ପରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ନେପାଳ ନିଜ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସର ସମ୍ମୁଖୀନ ହେଉଛି।

ଅଧିକାରୀମାନଙ୍କ କହିବା ହେଲା, ସରକାର ଏହି ପରାମର୍ଶରେ ନେପାଳ ଅଏଲ୍‌ କର୍ପୋରେସନ ପାଇଁ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ଦେଖୁଛନ୍ତି, ଯାହାକି ସବ୍‌ସିଡି ଦରରେ ଇନ୍ଧନ ବିକ୍ରି କରୁଛି ଏବଂ ବିଶ୍ୱସ୍ତରୀୟ ଦର ଉପରେ ବହୁତ କ୍ଷତି ସହୁଛି। ସରକାରୀ ପ୍ରବକ୍ତା ଜ୍ଞାନେନ୍ଦ୍ର ବାହାଦୂର କାର୍କି କହିଛନ୍ତି, ସରକାର ଏ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପ୍ରସ୍ତାବ ଆସିଛି, ତାହା ଉପରେ ବିଚାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.