ରୁଷ-ୟୁକ୍ରେନ ଯୁଦ୍ଧ: ଦୁଇ ଦିନ ପୂର୍ବରୁ ପରିବାର ଲୋକଙ୍କୁ ଶେଷ ଭିଡିଓ କଲ୍ କରିଥିଲେ ଭାରତୀୟ ଛାତ୍ର

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଜି ଜଣେ ଭାରତୀୟ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ନବୀନ ଶେଖରପ୍ପା ବୋଲି ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ନବୀନ ଆକ୍ରମଣରୁ ବଞ୍ଚିବା ପାଇଁ ଅନ୍ୟ ଛାତ୍ରମାନଙ୍କ ସହ ବଙ୍କରରେ ରହୁଥିଲେ। କିନ୍ତୁ ମଙ୍ଗଳବାର କିଛି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ହେତୁ ତାଙ୍କୁ ବଙ୍କରରୁ ବାହାରକୁ ଯିବାକୁ ପଡିଥିଲା ଏବଂ ଏହି ସମୟରେ ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୧ ବର୍ଷୀୟ ନବୀନ କର୍ଣ୍ଣାଟକର ଚଲାଗେରୀର ବାସିନ୍ଦା ଥିଲେ। ସେ ୟୁକ୍ରେନରେ ଆର୍କିଟେକ୍ଟୋରା ବେକାତୋଭା ଅଞ୍ଚଳରେ ରହୁଥିଲେ ଏବଂ ଖାରକିଭ୍ରେ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପାଠ ପଢ଼ୁଥିଲେ। ଦୁଇ ଦିନ ପୂର୍ବରୁ ନବୀନ ତାଙ୍କ ପରିବାର ଲୋକଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ।
କିଏ କ’ଣ ପ୍ରତିକ୍ରିୟା ଦେଲେ
ନବୀନ ଶେଖରପ୍ପାଙ୍କ ମୃତ୍ୟୁରେ ଟ୍ୱିଟ୍ କରି ବୈଦେଶିକ ମନ୍ତ୍ରଣାଳୟ ଦୁଃଖ ବ୍ୟକ୍ତ କରିଛି। ମନ୍ତ୍ରଣାଳୟ କହିଛି ଯେ ‘ଗଭୀର ଦୁଃଖର ସହ କହିବାକୁ ପଡ଼ୁଛି କି, ଆଜି ସକାଳେ ଖାରକିଭରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ତାଙ୍କ ପରିବାର ସହିତ ଯୋଗାଯୋଗରେ ଅଛି। ଆମେ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛୁ’।
ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ଦୁଃଖ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ମୃତ ଭାରତୀୟ ଛାତ୍ରଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ହୃଦୟରୁ ସମବେଦନା। ମୁଁ ଦୋହରାଉଛି ଯେ ନିରାପଦ ସ୍ଥାନାନ୍ତର ପାଇଁ ଭାରତ ସରକାରଙ୍କୁ ଏକ ରଣନୀତିକ ଯୋଜନାର ଆବଶ୍ୟକତା ରହିଛି। ପ୍ରତ୍ୟେକ ମିନିଟ୍ ମୂଲ୍ୟବାନ’।
ନବୀନଙ୍କ ମୃତ୍ୟୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବୟାନ ଜାରି କରି କହିଛି କି, ‘ହାଭେରୀ ଜିଲ୍ଲାର ଛାତ୍ର ନବୀନ ଶେଖରପ୍ପାଙ୍କର ୟୁକ୍ରେନରେ ମୃତ୍ୟୁ ଘଟିଛି। ସିଏମ୍ ବୋମ୍ମଇ ତାଙ୍କ ବାପା ସହ କଥା ହୋଇଛନ୍ତି। ନବୀନଙ୍କ ପାର୍ଥିବ ଶରୀରକୁ ଭାରତକୁ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯିବ’।
ସାଙ୍ଗ ପାଖକୁ ପ୍ରଥମେ ଆସିଥିଲା ଖବର
କର୍ଣ୍ଣାଟକ ଏସଡିଏମଏ ମନୋଜ ରାଜନ କହିଛନ୍ତି ଯେ ନବୀନ କିଛି ସାମଗ୍ରୀ କିଣିବା ପାଇଁ ପାଖକୁ ଯାଇଥିଲେ। ଏହାର କିଛି ସମୟ ପରେ ସ୍ଥାନୀୟ ଜଣେ ଅଧିକାରୀ ତାଙ୍କ ସାଙ୍ଗଙ୍କ ପାଖକୁ କଲ୍ କରି ନବୀନଙ୍କ ମୃତ୍ୟୁ ଘଟିଥିବା ଜଣାଇଥିଲେ।
ଏକ ରିପୋର୍ଟରେ କୁହାଯାଇଛି ଯେ ଖାରକିଭ୍ରେ ଥିବା ଗଭର୍ଣ୍ଣର ହାଉସଠାରେ ସକାଳ ପ୍ରାୟ ୭ଟାରେ କେତେଜଣ ଛାତ୍ର ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ହଠାତ୍ ଆକ୍ରମଣ ହୋଇଥିଲା ଏବଂ ଏଥିରେ ନବୀନଙ୍କ ମୃତ୍ୟୁ ଘଟିଥିଲା। ଖାରକିଭ୍ରେ ସକାଳେ ରୁଷ ସେନା ଯେଉଁ ଗଭର୍ଣ୍ଣର ହାଉସ୍କୁ ଉଡ଼ାଇ ଦେଇଛି, ତାହାରି ନିକଟରେ ନବୀନ ଛିଡା ହୋଇଥିଲେ। ତେବେ ଏକ ଫୋନ୍ ତାଙ୍କ ପାଖରେ ଥିଲା, ଯାହା ମାଧ୍ୟମରେ ତାଙ୍କୁ ଚିହ୍ନଟ କରାଯାଇଥିଲା।