ଆତ୍ମଦାହ କରିଥିବା ମନ୍ଦିର ପୂଜାରୀଙ୍କ ମୃତ୍ୟୁ, ଘଟଣାରେ ୫ ଗିରଫ

ଜୟପୁର :  ରାଜଧାନୀ ଜୟପୁରରେ ଗୁରୁବାର ଆତ୍ମଦାହ କରିଥିବା ମନ୍ଦିର ପୂଜାରୀଙ୍କ ମୃତ୍ୟୁ ଘଟିଛି । ମେଡିକାଲରେ ପ୍ରାୟ ୧୮ ଘଣ୍ଟା ଧରି ଚିକିତ୍ସିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ଘଟଣାରେ ମୋଟ ୭ ଅଭିଯ ୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଲେ ଲକ୍ଷ୍ମୀନାରାୟଣ ମନ୍ଦିର ପୁଜାରୀ ଗିରିରାଜ । ଗିରିରାଜଙ୍କର ୫ ଝିଅ ଓ ୨ ପୁଅ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଘଟଣାର ପୁରା ସିସି ଟିଭ ଫୁଟେଜ ପଦାକୁ ଆସିଛି ।

ସୂଚନା ଅନୁଯାୟୀ, ଏହି ଘଟଣା ଜୟପୁର ମୁରଲୀପୁର ଥାନା ଅଞ୍ଚଳର । ଏଠାକାର ଶଙ୍କରବିହାର ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜାରୀ ଥିଲେ ଗିରିରାଜ ଶର୍ମା । ସେ ମନ୍ଦିରରେ ରହୁଥିଲେ । ମନ୍ଦିର ସମିତି ସଦସ୍ୟ ଓ ପୁଜାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା । ପୂଜାରୀଙ୍କୁ ଜବରଦସ୍ତ ହଟାଇବାକୁ ଚାହୁଁଥିଲେ ମନ୍ଦିରର ସଦସ୍ୟମାନେ । ଏହି ଘଟଣାରେ ଆଘାତ ପାଇଥିବା ପୁଜାରୀ ଗୁରୁବାର ସକାଳେ ମନ୍ଦିର ସଦସ୍ୟଙ୍କ ଘର ଆଗରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।

ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ୧୮ ଘଣ୍ଟାର ଚିକିତ୍ସା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଅଂଚଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ପୂଜକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି କରିଛନ୍ତି । ପୋଲିସ ଏଯାଏ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ରାଜସ୍ଥାନରେ ଗତ କିଛି ମାସ ତଲେ ସାଧୁ-ସନ୍ଥଙ୍କ ମୃତ୍ୟୁକୁ ନେଇ କିଛି ମାମଲା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.