୨୩ ବର୍ଷ ପରେ ସୋଏବ ଅଖତରଙ୍କ ବଡ଼ ଖୁଲାସା! ଜାଣିଶୁଣି ସୌରଭ ଗାଙ୍ଗୁଲିଙ୍କ ପଞ୍ଜରା ହାଡ଼କୁ ମାରିଥିଲେ ବଲ୍‌…

ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସବୁବେଳେ ସଂଘର୍ଷପୂର୍ଣ୍ଣ ରହିଥାଏ। ଉଭୟ ଟିମ୍‌ର ଖେଳାଳି ‘କର ବା ମର’ ସ୍ଥିତିରେ ଥାଆନ୍ତି। ମ୍ୟାଚ୍‌ ଜିତିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି ଏମାନେ। ଏପରି କି, ପରସ୍ପରକୁ ଆଘାତ ପହଞ୍ଚାଇବାକୁ ବି ପଛଘୁଞ୍ଚା ଦେଇ ନ ଥାଆନ୍ତି। ଏବେ ଦୀର୍ଘ ଦିନ ପରେ ୨୩ ବର୍ଷ ପୂର୍ବ ମ୍ୟାଚ୍‌ର ସତ ବଖାଣିଛନ୍ତି ସୋଏବ ଅଖତର। ଏକ ଘରୋଇ ଟିଭି ଚ୍ୟାନେଲରେ ଏମିତି ଆଶ୍ଚର୍ଯ୍ୟଜନକ ଖୁଲାସା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ପାକିସ୍ତାନର ଏହି ପୂର୍ବତନ ଦ୍ରୁତ ବୋଲର।

ସୋଏବ ୨୩ ବର୍ଷ ପୂର୍ବେ ଖେଳା ଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଏକ ବଡ଼ କଥା ଖୁଲାସା କରିଛନ୍ତି। ସେ କହିଛନ୍ତି, ଏଥିରେ ପାକିସ୍ତାନ ଟିମ୍‌ ଜାଣିଶୁଣି ସୌରଭ ଗାଙ୍ଗୁଲିଙ୍କ ସମେତ ସମସ୍ତ ଭାରତୀୟ ଖେଳାଳିଙ୍କୁ ଆଘାତ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ କରିଥିଲା।

୧୯୯୯ ମସିହାରେ ମୋହାଲିରେ ଖେଳା ଯାଇଥିଲା ଭାରତ-ପାକିସ୍ତାନ ଦିନିକିଆ ମ୍ୟାଚ୍‌। ଏହି ମ୍ୟାଚ୍‌ ବିଷୟରେ ସୋଏବ ଅଖତର ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ଵାଗଙ୍କ ସହ ଏକ ଘରୋଇ ଟିଭି ପ୍ରୋଗ୍ରାମରେ ଆଲୋଚନା କରି ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।

soib
photo: India TV News

ଅଖତର କହିଛନ୍ତି, ‘ମୁଁ ସେହି ମ୍ୟାଚ୍‌ରେ ଲଗାତାର ବ୍ୟାଟ୍ସମ୍ୟାନ ମାନଙ୍କ ମୁଣ୍ଡ ଏବଂ ପଞ୍ଜରା ହାଡ଼କୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରୁଥିଲି। ଆମେ ସୌରଭ ଗାଙ୍ଗୁଲିଙ୍କ ପଞ୍ଜରାକୁ ବଲ୍‌ ମାରିବାକୁ ରଣନୀତି ପ୍ରସ୍ତୁତ କରିଥିଲୁ। ମଜାର କଥା ହେଲା ଯେ ଏହି ରଣନୀତି ଦିନକ ପୂର୍ବରୁ ଆମେ ପୂରା ଟିମ୍‌ ମିଶି କରିଥିଲୁ’।

ଅଖତର ଆହୁରି କହିଥିଲେ କି, ‘ଦଳର ମିଟିଂରେ ମୋତେ କୁହାଯାଇଥିଲା ଯେ ମୁଁ କେବଳ ବ୍ୟାଟ୍ସମ୍ୟାନ ମାନଙ୍କୁ ଆଘାତ ପଞ୍ଚାଇବାକୁ ଚେଷ୍ଟା କରିବି। ବ୍ୟାଟ୍ସମ୍ୟାନ ମାନଙ୍କୁ କାହିଁକି ଆଉଟ୍‌ କରାଯିବ ନାହିଁ ବୋଲି ପଚାରିବାରୁ ମୋତେ କୁହାଯାଇଥିଲା, ଏହା ଆମ କାମ। ତୁମ ପାଖରେ ସ୍ପିଡ୍‌ ଅଛି। ବାସ୍‌, ତୁମେ କେବଳ ସେମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବ, ବାକି ଆମେ ଦେଖି ନେବୁ’।

ଏତିକି ଶୁଣିବା ପରେ ସେହଓ୍ଵାଗ କହିଥିଲେ, ‘ମୋର ବିଶ୍ୱାସ ସୌରଭ ଗାଙ୍ଗୁଲି ଏହି ପ୍ରୋଗ୍ରାମ ଦେଖୁଥିବେ ଏବଂ ଯେବେ ସେ ଭେଟିବେ, ଏ ବିଷୟରେ ନିଶ୍ଚୟ ଚର୍ଚ୍ଚା କରିବେ’। ଏହାର ଉତ୍ତରରେ ଅଖତର କହିଥିଲେ, ‘ହଁ, ମୁଁ ପରେ ସୌରଭ ଗାଙ୍ଗୁଲିଙ୍କୁ ଏ ବିଷୟରେ କହିଥିଲି କି, ତୁମକୁ ଆଉଟ୍‌ କରିବା ଆମର ଯୋଜନା ନ ଥିଲା, ବରଂ ତୁମ ପଞ୍ଜରାକୁ ବଲ୍‌ ମାରିବାକୁ ଆମେ ପ୍ଲାନ୍‌ କରିଥିଲୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.