Below header

୧୩ ବର୍ଷରୁ ପରିବାରର ବୋଝ ବୁହାଇ ଅବିବାହିତ ରହିଥିଲେ ଲତା, ଭାଇ ଭଉଣୀଙ୍କୁ କରିଥିଲେ ପ୍ରତିଷ୍ଠିତ

କେନ୍ୟୁଜ୍(ବ୍ୟୁରୋ):  ଚାଲିଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ପରଦିନ ୯୨ ବର୍ଷ ବୟସରେ ସେ ଇହ ଲୀଳା ତ୍ୟାଗ କରି ପରଲୋକଗତ ହୋଇଛନ୍ତି । ସତେ ଯେପରି ସେ ମିଶି ଯାଇଛନ୍ତି ସେହି କଳାର ଦେବୀ ମା’ ସରସ୍ୱତୀଙ୍କ ଭିତରେ । ତାଙ୍କର ଜୀବନ ବ୍ୟାପୀ ସଂଗୀତ ସାଧନା ପାଇଁ ତାଙ୍କୁ ସରସ୍ୱତୀଙ୍କ ଅବତାର ବୋଲି ମଧ୍ୟ କୁହାଯାଏ । ଜୀବନର ଅପରାହ୍ନରେ ବି ସେ ଜଡିତ ଥିଲେ ସଂଗୀତ ଦୁନିଆ ସହ । ଶେଷ ନିଃଶ୍ୱାସ ଯାଏ ସେ ପ୍ରଶଂସକଙ୍କୁ ସଂଗୀତ ପରିବେଷଣ କରିଆସିଛନ୍ତି ସେ ।

ଦୀର୍ଘ ୭ ଦଶନ୍ଧି ଧରି ଭାରତୀୟ ସିନେମା ଓ ସଂଗୀତ ଦୁନିଆ ସହ ନିଜକୁ ଜଡିତ ରଖିଥିଲେ । ଅଭିନେତ୍ରୀ ମଧୁବାଲାଙ୍କ ଠାରୁ ମାଧୁରୀ ଦୀକ୍ଷିତ ଯାଏ ସେ ସବୁ କଳାକାରଙ୍କ ପାଇଁ ଗୀତ ଗାଇଛନ୍ତି । ତାଙ୍କର ଭିନ୍ନ ସ୍ୱର ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ । ଲତାଙ୍କ ସ୍ୱର ସବୁ ଅଭିନେତ୍ରୀଙ୍କ ସହ ଫିଟ ହୋଇଯାଏ । ଫିଲ୍ମ ମୁଗଲ-ଏ –ଆଜମ’ ର ‘ପ୍ୟାର କିୟା ତୋ ଡରନା କ୍ୟା’ ହେଉ ବା ପରିଣତ ବୟସରେ ମଧ୍ୟ ସେ ସାନ ଝିଅଟି ସ୍ୱର ପରି ତେରେ ବିନା ଜିୟା ଜାଏନା ଓ ‘୧୯୪୨ ଏ ଲଭ ଷ୍ଟୋରୀ’ ରେ ‘କୁଛ ନା କହୋ…’ ଗୀତ ସମସ୍ତଙ୍କୁ ଅଭିଭୂତ କରେ ।

ଭାରତର ସର୍ବ ପ୍ରତିଷ୍ଠିତ ପାର୍ଶ୍ୱ ଗାୟିକା ଭାବେ ଫିଲ୍ମ ଓ ଫିଲ୍ମ ବାହାରେ ଲକ୍ଷାଧିକ ଗୀତ ପରିଶି ଯାଇଛନ୍ତି ତାଙ୍କର ପ୍ରଶଂସକଙ୍କ ପାଇଁ । ଲତାଜୀ ୨ ହଜାରରୁ ଉର୍ଦ୍ଧ୍ୱ ଫିଲ୍ମରେ ଗୀତ ଗାଇଛନ୍ତି । ସେ ୩୬ ରୁ ଉର୍ଦ୍ଧ୍ୱ ଭାଷାରେ ଗୀତ ଗାଇଥିଲେ ମଧ୍ୟ ମୁଖ୍ୟତଃ ହିନ୍ଦୀ, ମରାଠି ଓ ବଙ୍ଗାଳି ଭାଷାରେ ଅଧିକାଂଶ ଗୀତ ଗାଇଛନ୍ତି ।

ଲତା ମଙ୍ଗେସକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ ପ୍ରଦେଶର ଇନ୍ଦୋରରେ (ବ୍ରିଟିଶ ସମୟର) ହୋଇଥିଲା । ଲତାଜୀ ପଣ୍ଡିତ ଦୀନାନାଥ ମଙ୍ଗେସକର ଓ ଶେବନ୍ତୀଙ୍କ ବଡ଼ ଝିଅ । ଲତାଙ୍କ ପିତା ଦୀନାନାଥ ମଙ୍ଗେସକର ଜଣେ ମରାଠି ସଂଗୀତକାର, ଶାସ୍ତ୍ରୀୟ ଗାୟକ ଓ ଥିଏଟର ଅଭିନେତା ଓ ମା’ ଥିଲେ ଗୁଜୁରାଟି । ଶେବନ୍ତୀ ହେଉଛନ୍ତି ଦୀନାନାଥଙ୍କ ଦ୍ୱିତୀୟ ପତ୍ନୀ । ପ୍ରଥମ ପତ୍ନୀ ନର୍ମଦାଙ୍କ ମୃତ୍ୟୁ ପରେ ଦୀନାନାଥ ନର୍ମଦାଙ୍କ ସାନ ଭଉଣୀ ଶେବନ୍ତୀଙ୍କୁ ନିଜର ଜୀବନ ସଂଗୀନି ଭାବେ ଗ୍ରହଣ କରିଥିଲେ । ଲତାଙ୍କ ଜନ୍ମ ବେଳେ ତାଙ୍କ ନାମ ହେମା ରଖାଯାଇଥିଲା । ପରେ ଏହାକୁ ପରିବର୍ତ୍ତନ କରି ଲତା ରଖାଗଲା । ଲତାଙ୍କ ପରେ ମୀନା, ଆଶା, ଉଷା ଓ ହୃଦୟନାଥଙ୍କ ଜନ୍ମ ହୋଇଥିଲା ।

କେମିତି ହେଲେ ମଙ୍ଗେସକର

ପଣ୍ଡିତ ଦୀନାନାଥଙ୍କ ସାଙ୍ଗିଆ ଥିଲା ହାର୍ଡେକର ଯାହାକୁ ବଦଳାଇ ସେ ମଙ୍ଗେସକର ଦେଇଥିଲେ । ସେ ଗୋଆର ମଙ୍ଗେଶୀରେ ରହୁଥିଲେ । ଏହି ଆଧାରରେ ସେ ତାଙ୍କର ସାଙ୍ଗିଆ ବା ସରନେମ ମଙ୍ଗେସକର ବାଛିଥିଲେ ।

ସ୍କୁଲ ଯାଇ ନଥିଲେ ଲତା

ପିଲାଦିନରୁ ଲତା ଘରୁ ହିଁ ପିତୃ ଦତ୍ତ ଭାବେ କଳା ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ । ଫଳରେ ୫ ବର୍ଷରୁ ପିତାଙ୍କ ଠାରୁ ଘରେ ରହି ଲତା ସଂଗୀତ ଶିକ୍ଷା କରୁଥିଲେ । ଏଥିସହ ପିତାଙ୍କ ନାଟକରେ ମଧ୍ୟ ଲତା ଅଭିନୟ କରୁଥିଲେ । ଲତା ସ୍କୁଲ ଯାଇଥିଲେ ମଧ୍ୟ ପ୍ରଥମ ଦିନରୁ ଶିକ୍ଷକଙ୍କ ସହ ଭଲ ପଡି ନଥିଲା । ଫଳରେ ଲତା ନିଜ ଭଉଣୀ ଆଶାଙ୍କୁ ବି ସ୍କୁଲ ନେଇଗଲେ । ହେଲେ ଶିକ୍ଷକ ଆଶଙ୍କୁ ସେହି ଶ୍ରେଣୀରେ ବସିବାକୁ ଅନୁମତି ଦେଲେ ନାହିଁ । ଫଳରେ ଲତା ରାଗି କରି ସେହି ଦିନରୁ ଆଉ ସ୍କୁଲ ଗଲେନାହିଁ ।

୧୩ ବର୍ଷ ବୟସରୁ ପରିବାରର ବୋଝ

୧୯୪୨ ରେ ପିତାଙ୍କ ହୃଦଘାତରେ ମୃତ୍ୟୁ ପରେ ଲତା ମଙ୍ଗେଶକରଙ୍କ ଉପରେ ପରିବାର ବୋଝ ପଡ଼ିଲ । ଲତାଙ୍କ ବୟସ ସେତେବେଳେ ମାତ୍ର ୧୩ ବର୍ଷ ଥିଲା । ନବଯୁଗ ଚିତ୍ରପଟ ମୁଭି ଲତାଙ୍କ ପରିବାରର ନିକଟତର ଲୋକ ହୋଇଥିବାରୁ ସେ ଲତାଙ୍କୁ ଗିତ ଗାଇବା ଓ ଅଭିନୟ କରିବା ପାଇଁ ସୁଯୋଗ ଦେଲେ ।
ଲତାଙ୍କୁ ଅଭିନୟ କରବା ପସନ୍ଦ ନଥିଲା । ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ କିଛି ମରାଠି ଫିଲ୍ମରେ ଅଭିନୟ କଲେ । ମଙ୍ଗଲା ଗୌର(୧୯୪୨), ମାଝୋ ବାଲ୍‌(୧୯୪୩),ଗଜଭାଉ(୧୯୪୪), ବଡ଼ି ମାଁ(୧୯୪୫) ଓ ଜୀବନ ଯାତ୍ରା(୧୯୪୬) ଭଳି ଫିଲ୍ମରେ ଲତା ଛୋଟ ମୋଟ ରୋଲରେ ଅଭିନୟ କଲେ ।

୧୯୪୨ରେ ଲତାଙ୍କୁ ସଦାଶିବ ରାଓ ନେବେରକର ଏକ ମରାଠି ଫିଲ୍ମରେ ଗାଇବାର ସୁଯୋଗ ଦେଲେ । ଲତା ଗୀତ ରେକର୍ଡ ମଧ୍ୟ କଲେ, ହେଲେ ଫିଲ୍ମର ଫାଇନାଲ କଟରେ ସେ ଗୀତକୁ କାଟି ଦିଆଗଲା । ୧୯୪୨ ରେ ରିଲିଜ ହୋଇଥିବା ମଙ୍ଗଳା ଗୌର ଫିଲ୍ମରେ ଲତାଙ୍କ ସ୍ୱର ଶୁଣିବାକୁ ମିଳିଲା । ସେହିପରି ୧୯୪୩ ରେ ମରାଠି ଫିଲ୍ମ ‘ଗଜାଭାଉ’ ରେ ଲତା ହିନ୍ଦୀ ଗୀତ ‘ମାତା ଏକ ସପୁତ କି ଦୁନିଆ ବଦଳ ଦେ ତୁ’ ଗାଇଥିଲେ ।

୧୯୪୫ ରେ ଲତା ମୁମ୍ବାଇ ଚାଲିଆସିଲେ । ଏହାପରେ ତାଙ୍କର କ୍ୟାରିଅର ବଢ଼ିବାକୁ ଲାଗିଲା । ସେଠାରେ ଲତାଜୀ ଭିଣ୍ଡିବଜାର ଘରାନାର ଉସ୍ତାଦ ଅମନ ଅଲି ଖାନଙ୍କ ଠାରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଶିଖିବାକୁ ଆରମ୍ଭ କଲେ । ୧୯୪୫ ରେ ଫିଲ୍ମ ‘ବଡ଼ି ମା’ ରେ ଗାଇଥିବା ଭଜନ ‘ମାତା ତେରେ ଚରଣ ମେ’ ଓ ୧୯୪୬ ରେ ରିଲିଜ ହୋଇଥିବା ‘ଆପକି ସେବା ମେ’ ରେ ଲତା ଗାଇଥିବା ‘ପା ଲାଙ୍ଗୁ କର ଜୋରୀ’ ସଂଗୀତ ଲୋକଙ୍କ ଧ୍ୟାନ ଆକର୍ଷଣ କଲା ।

୧୯୪୯ ରେ ‘ମହଲ’ନାମକ ଏକ ଫିଲ୍ମ ରିଲିଜ ହେଲା । ଯେଉଁଥିରେ ଖେମଚନ୍ଦ ପ୍ରକାଶ ଲତାଙ୍କୁ ‘ଆଏଗା ଆନେ ବାଲା’ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଗୀତଟି ମଧୁବାଲାଙ୍କ ଉପରେ ଥିଲା । ଗୀତଟି ସୁପର ହିଟ ହେବା ପରେ ଲତାଙ୍କ ପାଇଁ ସବୁ ସୁଯୋଗ ଖୋଲି ଦେଇଥିଲା । ଏହି ଗୀତ ଲତାଙ୍କର ସୁପର ହିଟ ଗୀତ ମଧ୍ୟରୁ ଅନ୍ୟତମ, ଯାହା ଆଜି ବି ଦର୍ଶକଙ୍କ ମନକୁ ଛୁଏଁ । ଏହି ଗୀତର ସଫଳତା ପରେ ଲତା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।

୧୯୫୦ ରୁ ୧୯୭୦ ଭାରତୀୟ ଫିଲ୍ମର ସବୁଠୁ ଭଲ ସମୟ

ଭାରତୀୟ ଫିଲ୍ମରେ ୧୯୫୦ ରୁ ୧୯୭୦ ସବୁଠୁ ସୁନ୍ଦର ସମୟ ବୋଲି କୁହାଯାଏ । ଯେତେବେଳେ କି ସୁପର ଗାୟକ, ସଂଗୀତକାର,ଗୀତିକାର ଓ ଫିଲ୍ମକାରମାନେ ରହିଥିଲେ । ସମସ୍ତେ ମିଶିକରି ଫିଲ୍ମକୁ ଏକ ସୁବର୍ଣ୍ଣ ସମୟ ଦେଇଥିଲେ ।
ଅନିଳ ବିଶ୍ୱାସ, ଶଙ୍କର ଜୟକିଶନ, ସଚୀନଦେବ ବର୍ମନ, ନୌସାଦ, ହୁସନଲାଲ ଭଗତରାମ, ସୀ. ରାମଚନ୍ଦ୍ର, ସଲୀଳ ଚୌଧୁରୀ,ସଜ୍ଜାଦ ହୁସେନ, ବସନ୍ତ ଦେଶାଇ, ମଦନ ମୋହନ,ଖାୟାମ, କଲ୍ୟାଣଜୀ ଆନନ୍ଦଜୀ, ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ରାହୁଲ ଦେବ ବର୍ମନଙ୍କ ଭଳି ନାମୀ ସଂଗୀତକାର ମଧୁର ସଂଗୀତ ନିର୍ମାଣ କରିଥିଲେ । ଏହି ସମସ୍ତଙ୍କୁ ଲତାଜୀଙ୍କ ସ୍ୱର ପସନ୍ଦ ଥିଲା ।

ଏହି ଗୀତିକାରଙ୍କ ସହ ଲତାଜୀ ଅନେକ ଲୋକପ୍ରିୟ ଗୀତ ଗାଇଥିଲେ ଯାହାର କୌଣସି ସୀମା ନାହିଁ । ମହିଳା ଗାୟକଙ୍କ ମଧ୍ୟରେ ତାଙ୍କ ଆଖ ପାଖରେ ମଧ୍ୟ ଏମିତି କେହି ଗାୟକ ନଥିଲେ । ଯିଏ ଲତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀ କରିବେ । ସେ ସମୟରେ ବହୁ ଫିଲ୍ମ କେବଳ ଲତାଙ୍କ ସୁମଧୁର ସଂଗୀତ ଯୋଗୁ ହିଟ ହେଉଥିଲା ।

ଲତା ସବୁ ପ୍ରକାର ଗୀତକୁ ବହୁତ ସୁନ୍ଦର କରିଦେଉଥିଲେ । ସେ ରୋମାଣ୍ଟିକ ହେଉ ବା ରାଗ ଆଧାରିତ କିମ୍ବା ଭଜନ ଓ ପୁଣି ଦେଶଭକ୍ତି । ଲତା ଗାଇଥିବା ‘ଏ ମେରେ ବତନ କି ଲୋଗୋ’ ସଂଗୀତ ଶୁଣି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ଆଖିରେ ମଧ୍ୟ ପାଣି ଆସିଯାଇଥିଲା ।

ଦୀଦାର, ବେଜୁ ବାଓ୍ଵରା, ଉଡନ ଖଟୋଲା, ମଦର ଇଣ୍ଡିଆ, ବରସାତ,ଆହ, ଶ୍ରୀ ୪୨୦, ଚୋରୀ ଚୋରୀ,ସଜା, ଦେବଦାସ, ମଧୁମତି, ବାଗୀ, ମୁଗଲ ଇ ଆଜମ, ଦିଲ ଆପନା ଔର ପ୍ରୀତ ପରାଇ,ବିସ ସାଲ ବାଦ, ଅନପଢ଼, ମେରା ସାୟା, ଆୟ ଦିନ ବହାର କେ, ମିଲନ,ଦୋ ରାସ୍ତେ ଭଳି ଫିଲ୍ମରେ ଲତାଜୀ ମଧୁର ସଂଗୀତ ପରିବେଷଣ କରିଛନ୍ତି ।

ସଂଗୀତକାର ଲତାଙ୍କ ପାଇଁ ବହୁ କଠିନ ଗୀତ ନେଇ ଆସୁଥିଲେ । ହେଲେ ଲତାଜୀ ଏହାକୁ ଅତି ସହଜରେ ଗାଇ ଦେଉଥିଲେ । ରାଜ କପୁର, ବିମଳ ରାୟ, ଗୁରୁ ଦତ୍ତ, ମେହେବୁବ, କମାଳ ଅମରୋହ ଙ୍କ ଭଳି ଖ୍ୟାତନାମା କଳାକାରଙ୍କ ପାଇଁ ଗୀତ ଗାଇବାରେ ପ୍ରଥମ ପସନ୍ଦ ଥିଲେ ଲତାଜୀ । ୧୯୭୦ ରେ ଫିଲ୍ମ ସଂଗୀତ ଟିକିଏ ତଳକୁ ଖସିବାକୁ ଲାଗିବାରୁ ଲତା କ୍ୱାଲିଟି ଗୀତ ଗାଇ ମଧ୍ୟ ନିଜକୁ ଶୀର୍ଷରେ ରଖିଥିଲେ ।

୮୦ ଓ ୯୦ ଦଶକରେ ମଧ୍ୟ ଲତା ଇଣ୍ଡଷ୍ଟ୍ରିରେ ଶୀର୍ଷରେ ଥିଲେ

ଏହି ଦଶକରେ ବହୁ ନୂଆ ସଂଗୀତକାରଙ୍କ ଆବିର୍ଭାବ ହେଲା । ଅନୁ ମଲିକ, ଶିବହାରୀ,ଆନନ୍ଦ ମିଳନ୍ଦ,ରାମ ଲକ୍ଷ୍ମଣ ମଧ୍ୟ ଲତାଙ୍କ ସହ ଗାଇବା ପାଇଁ ପସନ୍ଦ କରୁଥିଲେ । ସିଲସିଲା, ଚାନ୍ଦନୀ, କର୍ଜ, ଏକ ଦୁଜେ କେଲିୟେ, ରାମ ଲଖନ, ଅଗର ତୁମ ନ ହୋତେ,ସାଗର, ମୈନେ ପ୍ୟାର କିୟା, ବେତାବ, ରାମ ତେରୀ ଗଙ୍ଗା ମୈଳି ଭଳି ସୁପର ଡୁପର ସଂଗୀତ ଦେଇ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲେ ।
୯୦ ଦଶକରେ ମଧ୍ୟ ଲତାଜୀ ଇଣ୍ଡଷ୍ଟ୍ରିକୁ ବହୁତ ସୁନ୍ଦର ଗୀତ ଦେଇଛନ୍ତି
ଦିଲ ବାଲେ ଦୁଲ୍ହନିଆ ଲେ ଜାଏଗା, ଡର, ଲହମେ,ଦିଲ ତୋ ପାଗଲ ହେ, ମୋହବ୍ଦତେ,ପୁକାର, ୧୯୪୨ ଏ ଲଭ ଷ୍ଟୋରୀ ଭଳି ଫିଲ୍ମରେ ଲତାଜୀଙ୍କ ସୁମଧୁର ସ୍ୱର ସମସ୍ତଙ୍କୁ ପାଗଳ କରିଦେଇଥିଲା ।

ସମସ୍ତଙ୍କ ସହ ଥିଲା ଭଲ ସମ୍ପର୍କ

ଲତାଙ୍କ ଶାନ୍ତ ସରଳ ସ୍ୱଭାବ ଯୋଗୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କର ପ୍ରିୟ ଥିଲେ ସତେ ଯେପରି ପରିବାରର ଜଣେ ସଦସ୍ୟ । ଦିଲୀପ କୁମାର, ରାଜ କପୁର, ଦେବ ଆନନ୍ଦ, ଅମିତାଭ ବଚ୍ଚନ, ମୁକେଶ, କିଶୋର କୁମାର ଭଳି ବହୁ ଖ୍ୟାତନାମାଙ୍କ ସହ ତାଙ୍କର ବହୁତ ଘନିଷ୍ଠ ସମ୍ପର୍କ ରହିଥିଲା ।

ଲତାଙ୍କୁ ଦିଆଯାଇଥିଲା ବିଷ

୧୯୬୨ ରେ ଲତାଙ୍କ ମାରିଦେବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା । ସେ ମରୁ ମରୁ ବଞ୍ଚି ଯାଇଥିଲେ । ହେଲେ ଆଜି ଯାଏ ସେ ସମ୍ପର୍କରେ କିଛି ଉନ୍ମୋଚନ ହୋଇ ପାରିଲା ନାହିଁ । ତାହା ଏକ ରହସ୍ୟ ହୋଇ ରହିଗଲା ।

ଲତାଙ୍କ ବିବାହ

ଲତାଙ୍କ ବିବାହ ହୋଇ ପାରିନଥିଲା । ପିଲା ଦିନରୁ ପରିବାର ବୋଝ ତାଙ୍କୁ ଏପରି ବ୍ୟସ୍ତ ରଖିଥିଲା ଯେ ସେ ନିଜ ବିବାହ କଥା ଭୁଲିଯାଇଥିଲେ । ଶୁଣାଯାଏ ସଂଗୀତକାର ସୀ. ରାମଚନ୍ଦ୍ର ତାଙ୍କ ନିକଟରେ ବିବାହ ପ୍ରସ୍ତାବ ରଖିଥିଲେ । ହେଲେ ଲତା ତାଙ୍କୁ ମନା କରିଦେଇଥିଲେ ।

କେତେ ଗୀତ ଗାଇଥିଲେ ଲତା

ଲତାଙ୍କ ଗୀତ ସମ୍ପର୍କରେ କହିବା ବଡ଼ କାଠିକର ବିଷୟ । କାରଣ ତାଙ୍କର ଗୀତ ର ତାଲିକା ବହୁତ ଲମ୍ବା । ନିଜେ ଲତା କହିଥିଲେ ଯେ ସେ ଜାଣି ନାହାଁନ୍ତି ଯେ ସେ କେତେ ଗୀତ ଗାଇଥିଲେ । ଗୀନିଜ ବୁକ୍‌ ରେ ମଧ୍ୟ ଲତାଙ୍କ ନାମ ସାମିଲ କରାଯାଇଛି । ୨୫ ରୁ ୩୦ ହଜାର ଗୀତ କହିବା ବି ଭୁଲ ହେବ ।

ମାନ-ସମ୍ମାନ ଓ ପୁରସ୍କାର

ଲତାଙ୍କୁ ବହୁତ ପୁରସ୍କାର ମିଳିଛି । ୧୯୭୦ ପରେ ସେ ଫିଲ୍ମଫେୟାରକୁ କହିଥିଲେ ଯେ ସେ ସର୍ବଶ୍ରେଷ୍ଠ ଗାୟିକା ପୁରସ୍କାର ନେବେ ନାହିଁ । ଏହା ନୂଆ ଗାୟିକାଙ୍କୁ ଦିଆଯିବା ଉଚିତ୍‌ । ଲତାଙ୍କୁ ମିଳିଥିବା ପୁରସ୍କାର ।

ଭାରତ ସରକାରଙ୍କ ପୁରସ୍କାର

– ୧୯୬୯ରେ ପଦ୍ମ ଭୁଷଣ

– ୧୯୮୯ ରେ ଦାଦା ସାହେବ ଫାଲକେ

– ୧୯୯୯ ରେ ପଦ୍ମ ବିଭୁଷଣ

– ୨୦୦୧ ରେ ଭାରତ ରତ୍ନ

ଏହାଛଡା ଲତାଙ୍କୁ ଆହୁରି ୩୦ ରୁ ଅଧିକ ବିଭିନ୍ନ ପୁରସ୍କାର ମଧ୍ୟ ମିଳିଛି । ଯାହାକୁ ଲେଖିଲେ ଏକ ଲମ୍ବା ତାଲିକା ହେବ । ଲତାଜୀ ଆଜି ଆମ ଗହଣରେ ନାହାଁନ୍ତି ହେଲେ ସେ ଦେଇଯାଇଥିବା ହଜାର ହଜାର ସଂଖ୍ୟାର ସୁମଧୁର ସଂଗୀତ ତାଙ୍କୁ ପ୍ରତିଟି ସଂଗୀତ ପ୍ରେମୀଙ୍କ ହୃଦୟରେ ଜୀବନ୍ତ କରି ରଖିଥିବ । ସବୁଦିନ ପାଇଁ ଭାରତର ସଂଗୀତ ଜଗତରେ ସେ ଅମର ହୋଇ ରହିଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.