କୋଭିଡ୍‌ ପଜିଟିଭ ଥିଲେ ମଧ୍ୟ ଭୋଟ୍‌ ଦେବେ! ଜାଣନ୍ତୁ ନିର୍ବାଚନ ଆୟୋଗ କହିଲେ କ’ଣ; ବରିଷ୍ଠ, ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ ସୁବିଧା

ଦେଶର ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇ ଯାଇଛି। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଥିଲା ଯେ ଯେଉଁ ଲୋକ କରୋନାରେ ସଂକ୍ରମିତ ଅଛନ୍ତି, ସେମାନେ ଏଥର କିପରି ମତଦାନ କରିବେ? ଏହି ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୋଭିଡ ପଜିଟିଭ ଲୋକଙ୍କ ପାଇଁ ବାଲାଟ ପେପର ଭୋଟିଂ ଉପଲବ୍ଧ ହେବ। ଅର୍ଥାତ୍ ସଂକ୍ରମିତ ରୋଗୀମାନେ ବାଲାଟ ପେପର ମାଧ୍ୟମରେ ନିଜର ମତ ସାବ୍ୟସ୍ତ କରି ପାରିବେ। ଆୟୋଗ କୋଭିଡ ରୋଗୀଙ୍କ ବ୍ୟତୀତ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ମତଦାନର ସୁବିଧା ଦେଇଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି କି, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ ଓ୍ଵାର୍କର ଭାବରେ ବିବେଚନା କରାଯିବ। ସେ କହିଥିଲେ, ନିର୍ବାଚନ ଆୟୋଗର ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କୁ କରୋନା ଭାଇରସ୍‌ର pre-constructive ଡୋଜ୍‌ ଅର୍ଥାତ୍‌ ବୁଷ୍ଟର ଡୋଜ୍‌ ଲଗାଯିବ। ମୋଟାମୋଟି ଭାବେ ନିରାପଦ ଉପାୟରେ ନିର୍ବାଚନ କରିବା ବିଷୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଥିଲେ।

ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର କହିଥିଲେ ଯେ ସର୍ଭିସ୍‌ ମତଦାତାଙ୍କୁ ମିଶାଇ ୧୮.୩୪ କୋଟି ଭୋଟର ଏଥର ନିର୍ବାଚନରେ ଅଂଶଗ୍ରହଣ କରିବେ, ଯେଉଁଥିରୁ ୮.୫୫ କୋଟି ମହିଳା ଭୋଟର ଅଛନ୍ତି।

କେଉଁଠି କେତେ ପର୍ଯ୍ୟାୟ ନିର୍ବାଚନ

ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟ (ପ୍ରଥମ ପର୍ଯ୍ୟାୟ ୧୦ ଫେବୃଆରୀ, ଦ୍ୱିତୀୟ ପର୍ଯ୍ୟାୟ ୧୪ ଫେବୃଆରୀ, ତୃତୀୟ ପର୍ଯ୍ୟାୟ ୨୦ ଫେବୃଆରୀ, ଚତୁର୍ଥ ପର୍ଯ୍ୟାୟ ୨୩ ଫେବୃଆରୀ, ପଞ୍ଚମ ପର୍ଯ୍ୟାୟ ୨୭ ଫେବୃଆରୀ, ଷଷ୍ଠ ପର୍ଯ୍ୟାୟ ୩ ମାର୍ଚ୍ଚ ଏବଂ ସପ୍ତମ ପର୍ଯ୍ୟାୟ ୭ ମାର୍ଚ୍ଚ)ରେ ମତଦାନ ହେବ। ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଗୋଆରେ ଗୋଟିଏ ହିଁ ପର୍ଯ୍ୟାୟରେ (ଫେବୃଆରୀ ୧୪) ମତଦାନ ଅନୁଷ୍ଠିତ ହେବ। ମଣିପୁରରେ ମତଦାନ ଦୁଇଟି ପର୍ଯ୍ୟାୟ (ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩)ରେ ହେବ। ଏହି ସମସ୍ତ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ମାର୍ଚ୍ଚ ୧୦ରେ ଅନୁଷ୍ଠିତ ହେବ। ଅର୍ଥାତ୍ ମାର୍ଚ୍ଚ ୧୦ରେ ପାଞ୍ଚଟି ରାଜ୍ୟର ଫଳାଫଳ ଘୋଷଣା କରାଯିବ।