ଜାଣନ୍ତୁ କ’ଣ ଏହି ‘INX ମିଡିଆ ମାମଲା’, ଯେଉଁଥିପାଇଁ ଫେରାର ହୋଇଯାଇଛନ୍ତି ପି.ଚିଦାମ୍ବରମ, ଗିରଫ କରିବାକୁ ଲାଗିପଡ଼ିଛନ୍ତି ସିବିଆଇ ଓ ଇଡି

INX ମିଡିଆ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଅଡ଼ୁଆ ବଢ଼ିଯାଇଛି। ଏବେ ତାଙ୍କ ଉପରେ ଗିରଫର ଖଣ୍ଡା ଝୁଲିରହିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ବୁଧବାର ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଜାମିନ୍‌ ପାଇଁ ସମ୍ମତ ପ୍ରଦାନ କରିନାହାନ୍ତି। ଆଉ ଏହି ମାମଲା ଏବେ ପ୍ରଧାନ ବିଚାରପତି(ସିଜେଆଇ)ଙ୍କ ପାଖରେ ପହଞ୍ଚିଛି। ଏପରି ସ୍ଥିତିରେ ସିଜେଆଇ ଚିଦାମ୍ବରମଙ୍କ ପିଟିସନ ଉପରେ ଶୁଣାଣି କରିବେ।

ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଚିଦାମ୍ବରମଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସିବିଆଇ ଓ ଇଡିର ଟିମ୍‌ ମଙ୍ଗଳବାର ରାତିରେ ଚିଦାମ୍ବରମଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ଚିଦାମ୍ବରମ୍‌ ଘରେ ନ ଥିବା ଜାଣି ତଦନ୍ତକାରୀ ଅଧିକାରୀମାନେ ସେଠାରେ ନୋଟିସ୍‌ ମାରି ଫେରିଆସିଥିଲେ। ଏହି ନୋଟିସରେ ଚିଦାମ୍ବରମଙ୍କୁ ସିବିଆଇ ଓ ଇଡି ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏବେ ସୁଦ୍ଧା ଚିଦାମ୍ବରମ୍‌ ହାଜର ହୋଇନାହାନ୍ତି।

ଏହାସହ ପଢ଼ନ୍ତୁ: କ୍ଷମତାର ବଦଲାପୁର , ୧୦ ବର୍ଷ ପୂର୍ବେ ଏମିତି ଚାଲିଥିଲା ଶାହା- ଚିଦାମ୍ବରମଙ୍କ ଖେଳ

ଜାଣନ୍ତୁ, ‘INX ମିଡିଆ ଘୋଟାଲା’ କ’ଣ:

INX ମିଡିଆ ଘୋଟାଲା ମାମଲାକୁ ନେଇ ସିବିଆଇ ଓ ଇଡି ଅଭିଯୋଗ କରିଛନ୍ତି ଯେ ୨୦୦୭ ମାର୍ଚ୍ଚ ୧୩ରେ INX ମିଡିଆ, ବିଦେଶରୁ ୪.୬୨ କୋଟି ଟଙ୍କା ନିବେଶ ଲାଗି ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ(FIPB)ଠାରୁ ଅନୁମତି ମାଗିଥିଲା। ଏହି ନିବେଶ ମାଁରିସସ୍‌ର ୩ଟି କମ୍ପାନୀରୁ ଆସିଥିଲା। ଏହା ବ୍ୟତୀତ INX ମିଡିଆରେ ଅନ୍ୟ ସ୍ରୋତରୁ ଡାଉନଷ୍ଟ୍ରିମ୍‌ ଇନଭେଷ୍ଟମେଣ୍ଟ ପାଇଁ ମଧ୍ୟ ଅନୁମତି ମଗାଯାଇଥିଲା।

ମେ ୩୦ରେ INX ମିଡିଆକୁ FIPB ବିଦେଶରୁ ୪.୬୨ କୋଟି ଟଙ୍କା ନିବେଶ ପାଇଁ ଅନୁମତି ଦେଇଥିଲା। କିନ୍ତୁ ଡାଉନଷ୍ଟ୍ରିମ୍‌ରୁ ଆସିବାକୁ ଥିବା ବିଦେଶୀ ନିବେଶର ପ୍ରସ୍ତାବକୁ ଖାରଜ କରିଦେଇଥିଲା। ସିବିଆଇର ଅଭିଯୋଗ ହେଲା, INX ମିଡିଆ ଏହି ୪.୬୨ କୋଟି ଟଙ୍କା ବିଦେଶୀ ନିବେଶ ପାଇଁ ମଞ୍ଜୁରୀ ନେଇଥିବା ବେଳେ ବିଦେଶରୁ ୩୦୫ କୋଟି ଟଙ୍କା INX ମିଡିଆରେ ନିବେଶ ହୋଇଥିଲା। ଏହାସହିତ ଏହି ମିଡିଆ ନିଜ ସହଯୋଗୀ କମ୍ପାନୀଠାରୁ ୨୬ ପ୍ରତିଶତ ଡାଉନଷ୍ଟ୍ରିମ୍‌ ଇନଭେଷ୍ଟମେଣ୍ଟ ମଧ୍ୟ ନେଇଥିଲା।

ସିବିଆଇ ଅନୁସାରେ, ଆୟକର ବିଭାଗ ଏହାର ତଦନ୍ତ ଆରମ୍ଭ କରିଦେଇଛି। ୨୦୦୮ ମେ ୨୬ରେ FIPB ମାମଲା ବିଷୟରେ ଜାଣିବା ପରେ ଏ ନେଇ INX ମିଡିଆଠାରୁ ସ୍ପଷ୍ଟୀକରଣ ମାଗିଥିଲା। ଅଭିଯୋଗ ରହିଛି ଯେ ଏହା ଉପରେ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାମଲାକୁ ରଫାଦଫା କରିବାକୁ ଦାବି କରିଥିଲେ। ସେତେବେଳେ ପି.ଚିଦାମ୍ବରମ୍‌ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଥିଲେ।

ଏପଟେ ଏହି ମାମଲାରେ ଇଡିର ତଦନ୍ତରୁ ଖୁଲାସା ହୋଇଛି ଯେ କାର୍ତ୍ତି ଚିଦାମ୍ବରମଙ୍କ ପରୋକ୍ଷ ମାଲିକାନାରେ ନିୟନ୍ତ୍ରିତ ଏକ କମ୍ପାନୀ ‘ଆଡ୍‌ଭାଣ୍ଟାଜ୍‌ ଷ୍ଟ୍ରାଟେଜିକ୍‌ କନସଲଟିଙ୍ଗ୍‌’କୁ ୨୦୦୮, ଜୁଲାଇ ୧୫ରେ INX ମିଡିଆରୁ ୧୦ ଲକ୍ଷ ଟଙ୍କା ଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ କହିବାନୁଯାୟୀ, କାର୍ତ୍ତି ଚିଦାମ୍ବରମ୍‌ ୧୦ ଲକ୍ଷ ଟଙ୍କା ମାଗିଥିବା ନେଇ INX ମିଡିଆ ନିର୍ଦ୍ଦେଶକ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ବୟାନରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.