ରୁଷ-ୟୁକ୍ରେନ ଯୁଦ୍ଧରେ ତ୍ରାଣକର୍ତ୍ତା ସାଜିଲେ କୃଷ୍ଣ ଭକ୍ତ; କରୁଛନ୍ତି ଏଭଳି ହିତ କାର୍ଯ୍ୟ

ୟୁକ୍ରେନରେ ସଙ୍କଟ ସ୍ଥିତି। ଚାରିଆଡ଼େ ହାହାକାର। ୟୁକ୍ରେନ ଉପରେ ରୁଷର ଆକ୍ରମଣ ଯୋଗୁ ଏବେ ସେଠାରେ ବିନାଶର ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡେ ମିସାଇଲ୍‌ ମାଡ଼ ହେଉଛି। ବଡ଼ ବଡ଼ କୋଠା ଧୁଳିସାତ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ଦେଶରେ ଖାଦ୍ୟ, ପାନୀୟର ଅଭାବ ଦେଖା ଦେଲାଣି। ଏହି ବଡ଼ ସଙ୍କଟ ଭିତରେ କୃଷ୍ଣ ଭକ୍ତମାନେ ୟୁକ୍ରେନ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ଭାବରେ ଉଭା ହୋଇଛନ୍ତି।

ଇସ୍କନ ଉପାଧ୍ୟକ୍ଷ ରାଧାରମଣ ଦାସ ଟ୍ୱିଟ୍ କରି କହିଛନ୍ତି ଯେ ରୁଷ, ୟୁକ୍ରେନ, ପୋଲାଣ୍ଡ, ହଙ୍ଗେରୀ ସମେତ ଆଖପାଖ ଦେଶରେ ଇସ୍କନର ଅନେକ ମନ୍ଦିର ଅଛି। ୟୁକ୍ରେନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଇସ୍କନ ନିଜର ସମସ୍ତ ମନ୍ଦିରରେ ମାଗଣା ଖାଦ୍ୟ, ପାନୀୟ ଏବଂ ଆଶ୍ରୟ ଦେବାର ବ୍ୟବସ୍ଥା ଆରମ୍ଭ କରି ଦେଇଛି। କେବଳ ୟୁକ୍ରେନରେ ଇସ୍କନର ୫୪ଟି ମନ୍ଦିର ରହିଛି। ଏଭଳି ସ୍ଥିତିରେ ଭୋକ ଓ ଶୋଷରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ମନ୍ଦିରଗୁଡିକର ଲୋକେଶନ ପଠାଯାଇ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଉଛି।

ରାଧାରମଣ ଦାସ କହିଛନ୍ତି ଯେ ୟୁକ୍ରେନରୁ ପଳାଇ ହଙ୍ଗେରୀରେ ଆଶ୍ରୟ ନେବା ପାଇଁ ପହଞ୍ଚୁଥିବା ହଜାର ହଜାର ଲୋକଙ୍କୁ ସହାୟତା ନିମନ୍ତେ ଲଙ୍ଗର ଆରମ୍ଭ କରାଯାଇଛି। ସେମାନଙ୍କୁ ଖାଦ୍ୟ, ପାନୀୟ ଉପଲବ୍ଧ କରାଯିବା ସହିତ ରହିବା ପାଇଁ ଜାଗା ମଧ୍ୟ ଯୋଗାଇ ଦିଆଯାଉଛି। ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ବି ଇସ୍କନର ଏହି ଜନହିତକର କାର୍ଯ୍ୟରେ ସାହାଯ୍ୟ କରୁଛି।

ଇସ୍କନ କହିଛି, ‘ଚେଚନ୍ୟା ଯୁଦ୍ଧ (୧୯୯୫) ସମୟରେ ମଧ୍ୟ ଇସ୍କନ ଭକ୍ତମାନେ ନିଜ ଜୀବନକୁ ଖାତିର ନ କରି ଲୋକଙ୍କ ସେବା କରିଥିଲେ। ସେବା କରିବା ସମୟରେ ଆମର ଜଣେ ଭକ୍ତଙ୍କର ଗୁଳି ଆଘାତରେ ମୃତ୍ୟୁ ଘଟିଥିଲା। ଭକ୍ତମାନେ ୮୫୦,୦୦୦ ରୁଷୀୟ, ଚେଚେନ୍‌, ଜର୍ଜିଆନ୍, ଅର୍ମେନିଆ ଏବଂ ଯୁଦ୍ଧ ପୀଡିତଙ୍କୁ ମାଗଣା ଭୋଜନ ଯୋଗାଇବାରେ ସାହାଯ୍ୟ କରିଥିଲେ’। ତେବେ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଇସ୍କନର ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି।