ସର୍ଜିକାଲ ଷ୍ଟ୍ରାଇକ : ରଣନୀତିରେ ଥିଲା ଚିତାବାଘର ମୂତ୍ର

ନୂଆଦିଲ୍ଲୀ : ପାକିସ୍ତାନ ସୀମା ଭିତରେ ପଶି ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକର ଆଉ ଏକ ତଥ୍ୟ ପଦାକୁ ଆସିଛି । ଅତି ସତର୍କତାର ସହ ରଣକୌଶଳ ପ୍ରସ୍ତୁତ କରିଥିବା ଭାରତୀୟ ସେନା ଜମ୍ମୁ କାଶ୍ମୀର ଅଞ୍ଚଳରେ ଏଲ୍ଓସି ଅତିକ୍ରମ କରି ପାକିସ୍ତାନ ସୀମାର ୧୫ କିଲୋମିଟର ଭିତରକୁ ଯାଇ ଅତି ବୀରତ୍ବର ସହ ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣ ବେଳେ ସେମାନେ ଚିତାବାଘର ମଳମୂତ୍ରର ସାହାଯ୍ୟ ନେଇଥିଲେ । ଏକଥା କହିଛନ୍ତି ନଗରୋଟା କର୍ପସ କମାଣ୍ଡର ଦାୟିତ୍ବ ବହନ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ରାଜେନ୍ଦ୍ର ନିମ୍ବୋରକର । ମହାରାଷ୍ଟ୍ର ପୁନେ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ନିମ୍ବୋରକର ଏହି କୌଶଳ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ କହିଥିଲେ ।

SERGICAL STRIKE-1

କଶ୍ମୀରର ନୌସେରା ସେକ୍ଟରରେ ନିମ୍ବୋରକର ବ୍ରିଗେଡ କମାଣ୍ଡର ଥିଲେ । ସେଠାକାର ସ୍ଥିତି ଓ ପରିବେଶ ସମ୍ପର୍କରେ ତାଙ୍କୁ ଭଲ ଭାବେ ଜଣାଥିଲା । ସେ କହିଥିଲେ ଯେ ସମ୍ପୃକ୍ତ ଅଞ୍ଚଳରେ ସବୁ ବେଳେ ଚିତାବାଘର ଭୟ ଲାଗି ରହିଥାଏ । ବିଶେଷ କରି ଚିତାବାଘମାନେ ସେଠାକାର କୁକୁରଙ୍କୁ ଆକ୍ରମଣ କରିଥାନ୍ତି । ତେଣୁ କୁକୁରମାନେ ଆତ୍ମରକ୍ଷା ପାଇଁ ପାଖ ଗାଁ ଭିତରକୁ ଚାଲି ଆସନ୍ତି । ସେହି ଗାଁ ରାସ୍ତା ଦେଇ ଯିବା ବେଳେ ସେମାନେ ଭାରତୀୟ ସେନାଙ୍କୁ ଦେଖି ଭୁକିବାର ସମ୍ଭାବନା ଥିଲା । ତେଣୁ ରଣନୀତି ଭିତରେ ଏକଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା ।

surgical-strike

ଗାଁ ଭିତର ଦେଇ ଯିବା ବେଳେ ଯେଭଳି କୁକୁରମାନେ ନଭୁକିବେ ସେଥିଲାଗି ସାହାଯ୍ୟ ନିଆଯାଇଥିଲା ଚିତାବାଘଙ୍କ ମଳମୂତ୍ରର । ଭାରତୀୟ ସେନା ସେହି ବାଟ ଦେଇ ଯିବା ପୂର୍ବରୁ ଗାଁ ନିକଟରେ ଚିତାବାଘର ମଳମୂତ୍ର ଫିଙ୍ଗି ଦିଆଗଲା । ସେହି ଗନ୍ଧରେ କୁକୁରମାନେ ବାଘ ବୁଲୁଛନ୍ତି ମନେ କରି ଡରରେ ଆଉ ପଦାକୁ ବାହରି ନଥିଲେ କି ଭୁକି ନଥିଲେ । ଭାରତୀୟ ସେନା ସହଜରେ ଗାଁ ପାର ହୋଇ ଶତ୍ରୁ ଶିବିର ଉପରେ ଆକ୍ରମଣ କରି ପାରିଥିଲା ବୋଲି ନିମ୍ବୋରକର କହିଛନ୍ତି ।

army-story

ଗୋଟିଏ ସପ୍ତାହରେ ଯୋଜନା ଓ ଅପରେସନ୍

ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଯୋଜନା ପ୍ରସ୍ତୁତ ହୋଇ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା । ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏହି ନିର୍ଦ୍ଦେଶ ଦେଇଥିଲେ । ଅତି ଗୋପନରେ ଯୋଜନା କରାଯାଇଥିଲା । ତେବେ ଏଥିରେ ସାମିଲ ଥିବା ସେନା କର୍ମଚାରୀମାନଙ୍କୁ ଶେଷ ପର୍ଯ୍ୟନ୍ତ କୁହାଯାଇ ନଥିଲା ଯେ ସର୍ଜିକାଲ ଷ୍ଟ୍ରାଇକ୍ କେଉଁଠି ହେବ । ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ସମସ୍ତଙ୍କୁ ଜାଗା ବିଷୟରେ ସୂଚନା ଦିଆଯାଇଥିଲା ।

nimbhorkar

ଅମାବାସ୍ୟା ରାତି

ଅମାବାସ୍ୟା ରାତିରେ ଘନ ଅନ୍ଧକାର ଭିତରେ ଆରମ୍ଭ ହୋଇଥିଲା ଅପରେସନ୍ । ଅପରେସନ୍ ପୂର୍ବରୁ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡକୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ଗତିବିଧିକୁ ବିଚାର କରି ରାତି ସାଢ଼େ ୩ଟାରେ ଆକ୍ରମଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ତା ପୂର୍ବରୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ନିଜେ ଭାରତୀୟ ସେନା କିଭଳି ସୁରକ୍ଷିତ ଭାବେ ଆତଙ୍କବାଦୀଙ୍କ ଶିବିର ନିକଟରେ ପହଞ୍ଚି ପାରିବ । କାରଣ ରାସ୍ତାର ଅନେକ ସ୍ଥାନରେ ବାରୁଦ ବିଛା ଯାଇଥିଲା । ଏହି ସବୁ ବାଧାବିଘ୍ନକୁ ଅତିକ୍ରମ କରି ଭାରତୀୟ ସେନା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଆତଙ୍କବାଦୀଙ୍କ ୩ଟି ଲଞ୍ଚପ୍ୟାଡକୁ ଧ୍ବଂସ କରି ଦେଇଥିଲେ । ତା ସହିତ ଧରାଶାୟୀ କରି ଦେଇଥିଲେ ୨୯ ଜଣ ଆତଙ୍କବାଦୀଙ୍କୁ । ଏହା ପରେ ବିନା କୌଣସି ସମସ୍ୟା ଓ କ୍ଷତିରେ ନିଜ ଶିବିରକୁ ଫେରି ଆସିଥିଲେ ଭାରତୀୟ ସେନା । ଦୁଇ ବର୍ଷ ତଳେ ୨୦୧୬ରେ ହୋଇଥିବା ଏଭଳି ଏକ ଅଦଭୁତ ଅପରେସନ୍ ପାକିସ୍ତାନ ସେନାର କମାଣ୍ଡରକୁ କେବଳ ନୁହେଁ ସାରା ବିଶ୍ବକୁ ଚକିତ କରି ଦେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.