ଏ କି ପ୍ରତିଶୋଧ! ୭ ମଇଁଷିଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କଲା ଯୁବକ; ୫ ମଇଁଷିଙ୍କ ଅବସ୍ଥା ଗୁରୁତର…ଜାଣନ୍ତୁ ପୂରା ମାମଲା

ଆଜିକାଲି ସମାଜରେ ହତ୍ୟା, ମାରପିଟ, ଲୁଟ୍, ଚୋରି, ରାହାଜାନୀ ଭଳି ଘଟଣା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକେ ଘରୁ ବାହାରିକୁ ଭୟ କରୁଛନ୍ତି। ଏବେ ମହାରାଷ୍ଟ୍ରର ଠାଣେରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ଏଠାରେ ୨୦ ବର୍ଷୀୟ ଜଣେ ଯୁବକ ମଣିଷ ଉପରେ ରାଗ ମଇଁଷି ଉପରେ ଶୁଝାଇଛନ୍ତି। ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇ ଧାରୁଆ ଅସ୍ତ୍ରରେ ୭ ମଇଁଷିଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ଆଉ ୫ ମଇଁଷିଙ୍କୁ ମଧ୍ୟ ଗମ୍ଭୀର ରୂପେ ଆହତ କରି ପକାଇଛନ୍ତି। ଏହି ଘଟଣା ମେ’ ୧୫ରେ ଭିଓ୍ଵଣ୍ଡିରେ ଏକ ଡାଏରୀ ଫାର୍ମରେ ଘଟିଛି।
ମିଳିଥିବା ସୂଚନା ମୁତାବକ, ମେ’ ୧୫ ତାରିଖ ରାତିରେ ଅରହମ୍ ମୋମିନଙ୍କ ଡାଏରୀ ଫାର୍ମରେ ପାଖାପାଖି ୨୦ଟି ମଇଁଷିଙ୍କୁ ଜଞ୍ଜିରରେ ବାନ୍ଧି ଦିଆଯାଇଥିଲା। ସକାଳେ ଯେତେ ବେଳେ ଡାଏରୀ ଫାର୍ମର କର୍ମଚାରୀ ସେଠାରେ ପହଞ୍ଚିଥିଲେ, ତ ସାମ୍ନା ଦୃଶ୍ୟ ଦେଖି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାହିଁକି ନା, ସେଠାରେ ୭ ମଇଁଷି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସନ୍ଦେହ କରାଯାଉଥିଲା ଯେ କେହି ଜଣେ ଅଜଣା ବ୍ୟକ୍ତି ଡାଏରୀ ଫାର୍ମ ପାଚେରୀ ଡେଇଁ ଭିତରେ ପଶିଛନ୍ତି ଏବଂ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ଏ ନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା ଏବଂ ପୋଲିସ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲା।
ଅନ୍ୟ ପକ୍ଷରେ ଡାଏରୀ ଫାର୍ମର ମାଲିକ ଅରହମ୍ ମୋମିନଙ୍କ ସାଙ୍ଗ ଫାଜିଲ ହୁସୈନ କୁରୈସୀଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରୁ ପୋଲିସ ତାଙ୍କୁ ପଚରାଉଚୁରା କରିଥିଲା। ପଚରାଉଚୁରା ସମୟରେ ସେ ଖୁଲାସା କରିଥିଲେ ଯେ ସେ ହିଁ ଏଭଳି କାଣ୍ଡ ଘଟାଇଛନ୍ତି। କୁରୈସୀ କହିଥିଲେ, ମୋମିନ ଗତ କିଛି ଦିନ ହେବ ତାଙ୍କ ବିଷୟରେ ନକାରାତ୍ମକ କଥା ସବୁ କହୁଥିଲେ। ଏହି କାରଣରୁ ସେ ତାଙ୍କ ଉପରେ ରାଗି ଯାଇଥିଲେ ଏବଂ ପ୍ରତିଶୋଧ ନେବା ପାଇଁ ତାଙ୍କର ୭ ମଇଁଷିଙ୍କୁ ହତ୍ୟା କରିଥିଲେ।
କୁରୈସୀ ଆହୁରି କହିଥିଲେ କି, ସେ ମଇଁଷିମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ୭ ମଇଁଷିଙ୍କ ମୃତ୍ୟୁ ଘଟିଥିଲା ଏବଂ ୫ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଫାଜିଲ ହୁସୈନ କୁରୈସୀଙ୍କୁ ଗିରଫ କରିଛି।