ଛଅଟି ଚକରେ ଚାଲୁଛି ‘ପ୍ରଜ୍ଞାନ’ ରୋଭର, କେତେବେଳେ କିଛି ବି ଘଟି ପାରେ

ଚନ୍ଦ୍ରରେ କେତେବେଳେ କିଛି ବି ଘଟିବାର ସମ୍ଭାବନା ଅଛି ବୋଲି କହିଲେ ଇସ୍ରୋ ଚେୟାର ପର୍ସନ ଏସ୍‌ ସୋମନାଥ

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ଓ ଗର୍ବିତ । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭାରତ । ଗତକାଲି ସନ୍ଧ୍ୟା ୬.୪ ମିନିଟ୍‌ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଆଜି ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି । ତେବେ ଏହା ସାମନାରେ ଅନେକ ଚ୍ୟାଲେଞ୍ଜ ରହିଥିବା ଇସ୍ରୋର ଚେୟାରମ୍ୟାନ୍‌ ଏସ୍‌. ସୋମନାଥ କହିଛନ୍ତି ।
ସୋମନାଥଙ୍କ କହିବା କଥା ହେଲା କି ଚନ୍ଦ୍ରରେ ପୃଥିବୀ ଭଳି ବାତାବରଣ ନାହିଁ । ସେଠାରେ ଦେଖା ଯାଉଥିବା ଚିହ୍ନ ସବୁ ବଡ଼ ବଡ଼ ଗାତ । ଯାହା ମହାକାଶରୁ ଆସୁଥିବା କୌଣସି ନା କୌଣସି ବସ୍ତୁର ମାଡ଼ରେ ସୃଷ୍ଟି ହୋଇଥାଇ ପାରେ । ଉଲକା ପିଣ୍ଡ କିମ୍ବା ଧୂମକେତୁ ଭଳି ବସ୍ତୁ ଦ୍ୱାରା ଏହି ବିରାଟ ଗାତ ସୃଷ୍ଟି ହୋଇଥାଇ ପାରେ ବୋଲି ସେ କହିଛନ୍ତି । ତେବେ ଏଭଳି ବସ୍ତୁ ସବୁ ପୃଥିବୀ ପୃଷ୍ଠକୁ ମଧ୍ୟ ଲଗାତର ଆସୁଛି । ହେଲେ ଏହା ବାୟୁ ସଂସ୍ପର୍ଶରେ ଆସିଲା ପରେ ଜଳି ଯାଆନ୍ତି । ତେଣୁ ପୃଥିବୀରେ କୌଣସି କ୍ଷତି ହୁଏ ନାହିଁ । ଅନ୍ୟପକ୍ଷରେ ଚନ୍ଦ୍ରରେ ପରିବେଶ ଅଲଗା ଥିବା ହେତୁ ମହାକାଶରୁ ଆସୁଥିବା ଏଭଳି ବସ୍ତୁ ଆମ ଲ୍ୟାଣ୍ଡର ଏବଂ ରୋଭର୍‌ର କ୍ଷତି ଘଟାଇ ପାରେ ବୋଲି ସୋମନାଥ କହିଛନ୍ତି । ଏଭଳି ବସ୍ତୁର ଶକ୍ତ ଆଘାତରେ ଲ୍ୟାଣ୍ଡର ଓ ରୋଭର ନଷ୍ଟ ହୋଇଯିବ । ତା ସହିତ ବେଳେ ବେଳେ ଯୋଗାଯୋଗରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ।

ଅବଶ୍ୟ ଉଭୟ ଲ୍ୟାଣ୍ଡର ଓ ରୋଭର ଏବେ ସମ୍ପୂର୍ଣ୍ଣ ଭଲ ସ୍ଥିତିରେ ଅଛନ୍ତି । ଆଗକୁ ଚନ୍ଦ୍ରରୁ ସେମାନେ ତଥ୍ୟ ସଂଗ୍ରହ କରି ପଠାଇବେ । ପ୍ରଜ୍ଞାନ ରୋଭରରେ ଦୁଇଟି ସ୍ୱତନ୍ତ୍ର ଯନ୍ତ୍ର ରହିଛି । ଯାହା ଚନ୍ଦ୍ରର ଗଠନ ଏବଂ ଏହାର ରାସାୟନିକ ସଂରଚନା ସମ୍ପର୍କରେ ତଥ୍ୟ ଯୋଗାଇବ ବୋଲି ଇସ୍ରୋ ଚେୟାରମ୍ୟାନ୍‌ ସୋମନାଥ କହିଛନ୍ତି । ରୋଭର ପ୍ରଜ୍ଞାନ ହେଉଛି ଏକ ରୋବଟ୍‌ । ଯାହା ୬ଟି ଚକରେ ଚାଲୁଛି । ଚନ୍ଦ୍ରପୃଷ୍ଠରେ ଏହାର ଚଳପ୍ରଚଳ ଆଗାମୀ ମହାକାଶ ଗବେଷଣାରେ ଅନେକ ସାହାଯ୍ୟ କରିବ ବୋଲି ସେ ସୂଚାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.