ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ଗାଡି ଚଲାଇବା ପୂର୍ବରୁ ନାବାଳକ ପିଇଥିଲା ମଦ, ପବ୍ରେ ୯୦ ମିନିଟରେ ଖର୍ଚ୍ଚ କରିଥିଲା ୪୮ ହଜାର ଟଙ୍କା
ପ୍ରଥମ ପବରେ ନିଜ ସାଙ୍ଗ ସହିତ ନାବାଳକ ଅଭିଯୁକ୍ତ ୧୦.୪୦ରେ ପହଞ୍ଚିଥିଲା । ହେଲେ ଏହି ପବ୍ ସର୍ଭିସ ବନ୍ଦ କରିଥିବାରୁ ଦ୍ୱିତୀୟ ପବ୍ ବ୍ଲାକ ମାରିଅଟରେ ୧୨.୧୦ରେ ପହଞ୍ଚିଥିଲା । ଦୁର୍ଘଟଣା ଘଟାଇବା ପୂର୍ବରୁ ନାବାଳକ ଜଣକ ପବରେ ମାତ୍ର ଦେଢଘଣ୍ଟାରେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା ବୋଲି ପୁଣେ ପୋଲିସ ଡିଜି ଅମିତେଶ କୁମାର କହିଛନ୍ତି ।

ମହାରାଷ୍ଟ୍ର ପୁଣେରେ ପୋର୍ସେ କାର ଦୁର୍ଘଟଣା ମାମଲାରେ ପୁଣି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ବିଲ୍ଡର ବିଶାଲ ଅଗ୍ରଓ୍ଵାଲଙ୍କ ନାବାଳକ ପୁଅ ଦ୍ରୁତଗତିରେ ଦାମୀ ପୋର୍ସେ କାର ଚଢାଇଦେବାରୁ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ନାବାଳକକୁ ଗିରଫ କରିଥିବା ବେଳେ ଜାମିନ ମିଳିବା ପରେ ବାପା ବିଶାଲ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି । ତେବେ ଖବର ମୁତାବକ, ଦୁର୍ଘଟଣା ଘଟାଇବା ପୂର୍ବରୁ ନାବାଳକ ଜଣକ ପବରେ ମାତ୍ର ଦେଢଘଣ୍ଟାରେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା ବୋଲି ପୁଣେ ପୋଲିସ ଡିଜି ଅମିତେଶ କୁମାର କହିଛନ୍ତି ।
ତେବେ ପୋଲିସ କହିବା ମୁତାବକ, ପ୍ରଥମ ପବରେ ନିଜ ସାଙ୍ଗ ସହିତ ନାବାଳକ ଅଭିଯୁକ୍ତ ୧୦.୪୦ରେ ପହଞ୍ଚିଥିଲା । ହେଲେ ଏହି ପବ୍ ସର୍ଭିସ ବନ୍ଦ କରିଥିବାରୁ ଦ୍ୱିତୀୟ ପବ୍ ବ୍ଲାକ ମାରିଅଟରେ ୧୨.୧୦ରେ ପହଞ୍ଚିଥିଲା । ପବ୍ରେ ୪୮ ହଜାର ଟଙ୍କାର ବିଲ୍ ମିଳିଥିଲା । ଯାହାର ବିଲ୍ ନାବାଳକ ଜଣକ ଭରିଥିଲେ । ଅଭିଯୁକ୍ତ ନାବାଳକ ଜଣକ ସାଙ୍ଗମାନଙ୍କ ସହିତ ମିଶି ମଦ ପିଇଥିଲେ ।
ନାବାଳକ ଜଣକ କାର୍ ଚଲାଇ ପବ୍ ଯାଇ ମଦ ପିଇଥିଲା । ଯାହାର ସିସିଟିଭି ଫୁଟେଜ ପୋଲିସ ପାଖରେ ରହିଛି । ୧୭ ବର୍ଷୀୟ ନାବାଳକ ବିରୋଧରେ ମୋଟର ବାହନ ଅଧିନିୟମ ଧାରା ୧୮୫ ଲାଗୁ କରାଯାଇଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତି ୨.୩୦ରେ ବିଲ୍ଡର ବିଶାଲ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ । ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ । ସ୍ଥାନୀୟ ଲୋକେ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ ।
ଦୁର୍ଘଟଣା ସମୟରେ ପୋର୍ସେ କାରର ବେଗ ଘଣ୍ଟାପ୍ରତି ୨୦ ୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀସଙ୍କ ବାଇକକୁ ଧକ୍କା ଦେଇଥିଲା । ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀସ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ । ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।