କଲେଜ ଭିତରେ ପଶିଗଲା ଅଜଣା ବ୍ୟକ୍ତି, ଆଖିବୁଜା ଗୁଳି ଚାଳାଇ ନେଇଗଲା ୮ ଛାତ୍ରଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପରିସରରେ ଆତତାୟୀର ଉନ୍ମତ୍ତକାଣ୍ଡ। ଆଖିବୁଜା ଗୁଳିମାଡ଼ରେ ୮ ଛାତ୍ରଙ୍କ ମୃତ୍ୟୁ। ରୁଷର ପର୍ମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା। ଗୁଳିମାଡ଼ରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଅଜ୍ଞାତ ଆତତାୟୀ ବିଶ୍ୱବିଦ୍ୟାଳୟ କୋଠାରେ ପଶି ଗୁଳିମାଡ଼ କରିଥିଲା। ଭୟରେ ଜୀବନ ବଞ୍ଚାଇବାକୁ ଛାତ୍ରଛାତ୍ରୀ ଝରକା ବାଟେ ତଳକୁ ଡେଇଁପଡିଥିଲେ। ଆତତାୟୀ ଜଣକ ସେଠାରୁ ଖସି ପଳାଉଥିବା ବେଳେ ପୋଲିସ ଗୁଳିରେ ପ୍ରାଣ ହରାଇଥିବାସୂଚନା ମିଳିଛି।

ତେବେ କେଉଁ କାରଣରୁ ସେ ଗୁଳିମାଡ଼ କରିଛି ସେନେଇ ସ୍ପଷ୍ଟଭାବେ ଜଣାପଡ଼ିନାହିଁ। ଗୁଳିମାଡ଼ ପରେ ୟୁନିଭର୍ସିଟି କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଛି। ସେପଟେ ଏହି ଅଘଟଣରେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ରୁଷିଆ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଦୂତାବାସ ପକ୍ଷରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସଂପର୍କ ରଖାଯାଇଛି। ଗୁଳିମାଡ଼ରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ସହ ଆହତଙ୍କ ଦୃତ ଆରୋଗ୍ୟ କାମନା କରାଯାଇଛି।