ମା’କୁ ଆସିଲା ନିଦ, କ୍ଷୀର ଖାଉଥିବା ସମୟରେ ଚାପି ହୋଇ ତିନି ମାସର ଶିଶୁପୁତ୍ର ମୃତ

ଆଗ୍ରାର ଜନପଦ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ଥାନୀୟ ଗାଁ ମାଲୋନୀରେ ଜଣେ ମହିଳା ଶୋଇବା ବେଳେ କଡ ଲେଉଟାଇବା ଯୋଗୁଁ ୩ ମାସର ଶିଶୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ମାଲୋନୀ ଗାଁ ନିବାସୀ ଭାରତ ସିଂଙ୍କ ପତ୍ନୀ ସରିତା ସୋମବାର ରାତିରେ ନିଜ ତିନି ମାସର ଶିଶୁପୁତ୍ରକୁ ଧରି ଶୋଇଥିଲେ। ଶୋଇବା ବେଳେ ପିଲାକୁ ଭୋକ ଲାଗିବାରୁ ଶିଶୁକୁ ସ୍ତନ୍ୟପାନ କରାଉଥିଲେ। ଏହା ସମୟରେ ସରିତାକୁ ନିଦ ହୋଇଯାଇଥିଲା। ନିଦରେ କଡ ଲେଉଟାଇବା ବେଳେ ପିଲାଟି ତାଙ୍କ ତଳେ ଦବି ରହିବା ଯୋଗୁଁ ଶ୍ୱାସ ରୁଦ୍ଧ ହୋଇଯାଇଥିଲା। ଅଧିକ ସମୟ ପର୍ଯ୍ୟନ୍ତ ଶିଶୁ ଦବି ରହିବା ଯୋଗୁଁ ନିଶ୍ୱାସ ବନ୍ଦ ହୋଇଯାଇଥିଲା। କିନ୍ତୁ ସେ ପର୍ଯ୍ୟନ୍ତ ସରିତା କିଛି ବି ଜାଣିପାରିନଥିଲେ। ନିଦ ଭାଙ୍ଗିବା ପରେ ସରିତା ଉଠି ପିଲାଟିର କିଛି ହାତଗୋଡ ହଲଚଲ ହେଉନଥିବା ଦେଖି ଘରଲୋକଙ୍କୁ ଡାକିଥିଲେ। ଘର ଲୋକ ପିଲାକୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁପୁତ୍ରର ମୃତ୍ୟୁରେ ଘର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ମା ସରିତା ବେହୋସ ହୋଇପଡିଥିଲେ।