Below header

ସିରିୟାରେ ଭୂମିକମ୍ପର ତାଣ୍ଡବ ଭିତରେ ହେଲା ଚମତ୍କାର! ମୃତ୍ୟୁ ପୂର୍ବରୁ ଧ୍ୱଂସାବଶେଷ ତଳେ ଦବିଥିବା ମହିଳା ଦେଲେ ଶିଶୁକୁ ଜନ୍ମ…ଭିଡିଓ ଭାଇରାଲ

ତୁର୍କୀ ଏବଂ ପଡ଼ୋଶୀ ଦେଶ ସିରିୟାରେ ଭୟଙ୍କର ଭୂମିକମ୍ପ ବିନାଶର ତାଣ୍ଡବ ରଚିଛି। ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ନବଜାତ ଶିଶୁକୁ ହାତରେ ଧରି ଦୌଡ଼ୁଥିବା ଦେଖିବାକୁ ମିଳୁଛି। ବିଲ୍ଡିଂର ଧ୍ୱଂସାବଶେଷ ତଳେ ଦବି ରହିଥିବା ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଯଦିଓ ପିଲାଟିକୁ ଜନ୍ମ ଦେବା ପରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି।

ରେସ୍‌କ୍ୟୁ ଟିମ୍‌ ଧ୍ୱଂସାବଶେଷରୁ ଲୋକମାନଙ୍କୁ ବାହାର କରୁଥିଲେ। ଏହାରି ଭିତରୁ ହଠାତ୍‌ ଶିଶୁ କାନ୍ଦିବାର ଶବ୍ଦ ଶୁଣାଯାଇଥିଲା। ଏହାପରେ ତୁରନ୍ତ ନବଜାତ ଶିଶୁକୁ ବାହାର କରାଯାଇଥିଲା ଏବଂ ତାକୁ ସୁରକ୍ଷିତ ଜାଗାକୁ ନିଆଯାଇଥିଲା। ତେବେ ଏହା ଜଣାପଡ଼ି ନାହିଁ ଯେ ଶିଶୁର ପରିବାରରେ କିଏ ବଞ୍ଚିଛନ୍ତି କି ନାହିଁ। ଏହା କେବଳ ଗୋଟିଏ ହିଁ ଭିଡିଓ ନୁହେଁ, ଏମିତି ତୁର୍କୀ ଭୂମିକମ୍ପ ପରର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କ ଆଖିରୁ ବି ଲୁହ ବାହାରି ଆସିବ।

ଅନେକ ମୃତଦେହ ଏବେ ମଧ୍ୟ ଧ୍ୱଂସାବଶେଷ ତଳେ ଦବି ରହିଛି। ଚାରିଆଡ଼େ ଲୋକେ ନିଜ ପ୍ରିୟଜନମାନଙ୍କୁ ଖୋଜିବାରେ ଲାଗିଛନ୍ତି। ଦିନକ ପୂର୍ବେ ଯେଉଁମାନେ ନିଜ ପରିବାର ସହିତ ହସଖୁସିରେ ଖେଳୁଥିଲେ, ଆଜି ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଛି। ଯେଉଁଆଡ଼େ ଦେଖିବ, ସେଇଆଡ଼େ ମୃତ୍ୟୁର ତାଣ୍ଡବ।

ଧ୍ୱଂସାବେଶଷ ତଳୁ ବାହାରୁଥିବା ମୃତଦେହ ସହିତ ହିଁ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ତୁର୍କୀ ଏବଂ ସିରିୟାରେ ୪୩୬୫ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ତୁର୍କୀର ଉପ ରାଷ୍ଟ୍ରପତି ଫୁଅତ୍‌ ଓକଟେଙ୍କ କହିବା ହେଲା, ଏବେ ଆହୁରି ମୃତକଙ୍କ ସଂଖ୍ୟା ବଢ଼ିପାରେ। ତେଣୁ ଦେଶକୁ ପ୍ରସ୍ତୁତ ରହିବା ଦରକାର।

ସେପଟେ ଭାରତ ମଧ୍ୟ ତୁର୍କୀ ଓ ସିରିୟାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହି ବିନାଶକାରୀ ଭୂମିକମ୍ପକୁ ନେଇ ପିଏମ୍‌ଓରେ ବୈଠକ ହୋଇଥିଲା, ଯାହାପରେ ପିଏମ୍‌ ମୋଦିଙ୍କ ନିର୍ଦ୍ଦେଶରେ ଏନ୍‌ଡିଆର୍‌ଏଫ୍‌ର ୨ଟି ଟିମ୍‌ ତୁର୍କୀ ଯାତ୍ରା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.