ଶିଶୁକୁ ଘରେ ଏକୁଟିଆ ଛାଡ଼ି ୪ ଦିନ ଯାଏ ମା’ କରୁଥିଲେ ‘ମଦ ପାର୍ଟି’, ଭୋକରେ ୧୧ ମାସ ଶିଶୁର ମୃତ୍ୟୁ, ମା’କୁ ୧୪ ବର୍ଷ ଜେଲ୍‌

ମସ୍କୋ : କଥାରେ ଅଛି ମା’ ମମତାମୟୀ । ନିଜର ସନ୍ତାନର ଭଲ ପାଇଁ ସେ କିଛି ବି କରିବାକୁ ପଛାଏ ନାହିଁ । ହେଲେ ଏମିତି ବି ମା’ ଅଛନ୍ତି ଯିଏ ଶିଶୁ ପାଇଁ ପାଲଟି ଯାଆନ୍ତି ମୃତ୍ୟୁ ଦୂତ । ନିଜର ସୌକକୁ ପୁରଣ କରିବା ପାଇଁ ଜଣେ ମା’ ୪ ଦିନ ଧରି ମଦ ପାର୍ଟିରେ ମସ୍‌ଗୁଲ୍‌ ଥିବା ବେଳେ ଭୋକ ଦାଉରେ ନିଜ ୧୧ ମାସ ଶିଶୁର ଜୀବନ ଚାଲିଯାଇଛି ।

ଏମିତି ଘଟଣା ଘଟିଛି ଋଷର ଜ୍ଲୋଟୋଷ୍ଟ ଶହରରେ । ଏଠାରେ ରହୁଥିବା ଓଲ୍ଲା ବୋଞ୍ଜାରାବା ନାମକ ଜଣେ ମହିଳା ନିଜର ବଡ଼ ପୁଅକୁ ଜଣେ ପଡୋଶୀଙ୍କ ଘରେ ଛାଡ଼ି ଦେଇଥିଲେ । ଛୋଟ ଦୁଇ ପୁଅଙ୍କୁ ଘରେ ଛାଡ଼ି ନିଜର ଚାଚାଙ୍କୁ ଦେଖାଶୁଣା କରବା ପାଇଁ ଫୋନ୍‌ କରିଥିଲେ । ହେଲେ ଚାଚା ମନା କରିବାରୁ ନିଜର ଶାଶୂଙ୍କୁ କଲ୍‌ କରି ଦୁଇ ଛୋଟ ଛୁଆଙ୍କୁ ଦେଖାଶୁଣା କରିବା ପାଇଁ କହି ବାହାରକୁ ଚାଲିଯାଇଥିଲେ ।

ହେଲେ କଲ୍‌ ପାଇବାର ୩ ଦିନ ପରେ ଶାଶୂ ଛୁଆଙ୍କ ଦେଖାଶୁଣା କରିବା ପାଇଁ ଘରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ୧୧ ମାସର ଶିଶୁଟିର ଭୋକ ଓ ଶୋଷରେ ମୃତ୍ୟୁ ହୋଇଯାଇଥିଲା । ଆଉ ୩ ବର୍ଷର ଶିଶୁଟି ମୃତ ପ୍ରାୟ ହୋଇଯାଇଥିଲା । ରିପୋର୍ଟ ଅନୁଯାୟୀ ମା’ ନିଜର ଦୁଇ ପୁଅଙ୍କୁ ଘରେ ଛାଡିଥିଲେ ମଧ୍ୟ ଫ୍ରିଜ୍‌ରେ କୌଣସି ଖାଦ୍ୟ ରଖିନଥିଲେ । ୩ ବର୍ଷର ଶିଶୁଟିକୁ ହସ୍‌ପିଟାଲରେ ଭର୍ତ୍ତି କରିବା ସହ ପୋଲିସ ମା’କୁ ଗିରଫ କରିଥିଲା ।

କୋର୍ଟ ଏହି ମାମଲାର ବିଚାର କରି କୃରତା ଓ ଶିଶୁର ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମା’କୁ ୧୪ ବର୍ଷ ଜେଲ୍‌ ଦଣ୍ଡ ଆଦେଶ ଦେଇଛନ୍ତି । ଏବେ ଅନ୍ୟ ଶିଶୁ ଦୁଇଜଣ ଜେଜେ ମା’ଙ୍କ ପାଖରେ ରହିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.