ଦିଲ୍ଲୀ: ତାସ୍‌ ଘର ଭଳି ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ଭୟରେ ଏଣେତେଣେ ଦୌଡ଼ିଲେ ଲୋକେ

ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏକ କୋଠାଘର ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଛି । ୩ ମହଲା ବିଶିଷ୍ଟ ଏହି କୋଠାଘର ହଠାତ୍‌ ଭୁଶୁଡ଼ି ପଡ଼ିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି ।

ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏକ କୋଠାଘର ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଛି । ୩ ମହଲା ବିଶିଷ୍ଟ ଏହି କୋଠାଘର ହଠାତ୍‌ ଭୁଶୁଡ଼ି ପଡ଼ିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଘରଟି ଭୁଶୁଡ଼ିବା ପରେ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ୩ ମହଲା କୋଠାଘର ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି ।

ମିଳିଥିବା ସୂଚନା ଅନୁସାରେ, କଲ୍ୟାଣପୁରୀ ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ଏହି ୩ ମହଲା କୋଠଘର ଥିଲା । ଗତକାଲି ହଠାତ୍‌ କିଛି ସେକେଣ୍ଡ ଭିତରେ ଘରଟି ଗୋଟିଏ ପାର୍ଶ୍ୱକୁ ଢଳି ଯାଇଥିଲା । ଅଞ୍ଚଳର ୧୧ନଂ. ବ୍ଲକରେ ଅପରାହ୍ନ ପ୍ରାୟ ୪ଟା ବେଳେ ପୋଲିସକୁ ଏ ସମ୍ପର୍କରେ ସୂଚନା ମିଳିଥିଲା ।

ଘଟଣାସ୍ଥଳରେ ଯେତେ ବେଳେ ପୋଲିସ ଫୋର୍ସ ପହଞ୍ଚିଥିଲା, ସେତେ ବେଳେ ଘରଟି ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ଥିବାର ଦେଖି ସମସ୍ତ ଲୋକଙ୍କୁ ବାହାର କରିଥିଲା । ଏହା ପରେ ଚାହୁଁ ଚାହୁଁ ବିଲ୍ଡିଂଟି ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଥିଲା । ଆଶ୍ୱସ୍ତିକର କଥା ଯେ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏଥିରେ ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି । କେହି ଆହତ ହୋଇଥିବାର ଖବର ନାହିଁ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

କହି ରଖୁଛୁ ଯେ ଗତ ମାସ ଅର୍ଥାତ୍‌ ମାର୍ଚ୍ଚରେ ଦିଲ୍ଲୀରେ ମଧ୍ୟ ଏହିପରି ଏକ ଦୁର୍ଘଟଣା ଘଟିଥିଲା । ଏଠାରେ ନିର୍ମାଣାଧୀନ ଏକ ପୁରୁଣା ୨ ମହଲା ବିଲ୍ଡିଂ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା କବିର ନଗର ଅଞ୍ଚଳରେ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.