ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ମୋଦି ଓ ଜିନ୍ପିଙ୍ଗ, ଏଲ୍ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଦୁଇ ନେତା

କେନ୍ଯୁଜ୍ : ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି ଓ ସି ଜିନ୍ପିଙ୍ଗ । ପୂର୍ବ ଲଦାଖର ଏଲ୍ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଦୁଇ ନେତା ଯୋଗଦେବେ । ଶେଷ ଥର ପାଇଁ ସାଂଘାଇ ସହଯୋଗ ସଂଗଠନରେ ଉଭୟ ନେତାଙ୍କ ଭର୍ଚୁଆଲ ସାକ୍ଷାତ ହୋଇଥିଲା । ଆଜି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ଦ୍ୱାରା ଆୟୋଜିତ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀରେ ୫ଟି ଦେଶ ଭାରତ, ଚୀନ୍, ବ୍ରାଜିଲ୍, ଋଷ ଏବଂ ଦକ୍ଷିଣ ଆଫ୍ରିକା ଯୋଗଦେବେ ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପିଏମ୍ ମୋଦି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ଥିମ୍ ରହିଛି ‘ଗ୍ଲୋବାଲ ଷ୍ଟାବିଲିଟି, ସେୟାର୍ଡ ସିକ୍ୟୁରିଟି ଏବଂ ଇନୋଭେଟିଭ୍ ଗ୍ରେଥ୍ ।
ଜାତିସଂଘର ୭୫ ତମ ବାର୍ଷିକୀ ଏବଂ କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ଦ୍ୱାଦଶ ଶିଖର ସମ୍ମିଳନୀରେ ନେତାମାନେ ବହୁମୁଖୀ ବ୍ୟବସ୍ଥାର ସଂସ୍କାର, ଆନ୍ତଃ-ବ୍ରିକ୍ସ ସହଯୋଗ ଏବଂ ବିଶ୍ୱ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ କରୋନା ମହାମାରୀକୁ ହ୍ରାସ କରିବା, ଆତଙ୍କବାଦ ମୁକାବିଲା, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଲୋକଙ୍କ ସହଯୋଗ ଉପରେ ଆଲୋଚନା କରାଯିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।