ନେପାଳ ଦୁର୍ଘଟଣାରେ ମୃତ ଭାରତୀୟଙ୍କ ସ୍ୱପ୍ନରେ ଆସିଥିଲେ ଭଗବାନ ପଶୁପତିନାଥ, ନେପାଳି ସାଙ୍ଗ କହିଲେ ସଂପୂର୍ଣ୍ଣ କାହାଣୀ

ନେପାଳ ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବରଣ କରିଥିବା ଭାରତୀୟ ସ୍ୱପ୍ନରେ ଭଗବାନ ପଶୁପତିନାଥଙ୍କୁ ଦେଖିଲେ । ତେଣୁ ଦର୍ଶନ କରିବା ପାଇଁ କାଠମାଣ୍ଡୁ ଯାଇଥିଲେ । ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ନେପାଳି ବନ୍ଧୁ ଏହା କହିଛନ୍ତି। ଭାରତ-ନୋପାଳ ସୀମା ସ୍ଥିତ ସରଲାହି ଜିଲ୍ଲାର ରହୁଥିବା ଅଜୟ ଶାହ(୨୬) କହିଛନ୍ତି, ହନିମୁନ ପରେ ଭାରତରୁ କାଠମାଣ୍ଡୁ ଫେରିବା ସମୟରେ ତାଙ୍କର ୪ ଭାରତୀୟ ବନ୍ଧୁଙ୍କର ମୃତ୍ୟୁ ହୋଇଥିଲା।
ୟେତି ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, ବିମାନରେ ଥିବା ୫ ଭାରତୀୟଙ୍କ ମଧ୍ୟରୁ ଅଭିଷେକ କୁଶଓ୍ଵାହା(୨୫), ବିଶାଲ ଶର୍ମା(୨୨), ଅନିଲ କୁମାର ରାଜଭର(୨୭), ସୋନୁ ଜୟସଓ୍ଵାଲ (୩୫) ଏବଂ ସଞ୍ଜୟ ଜୟସଓ୍ଵାଲ ବିମାନରେ ଯାତ୍ରା କରୁଥିଲେ । ସମସ୍ତେ ଉତ୍ତରପ୍ରଦେଶର ରହିଥିଲେ । ଅଜୟ କହିଛନ୍ତି, ବିମାନ ଦୁର୍ଘଟଣା ବିଷୟରେ ଶୁଣି ସ୍ତବ୍ଧ ହୋଇଯାଇଥିଲେ । ଆଉ ପରେ ତାଙ୍କ ବନ୍ଧୁ ତାଙ୍କ ଠାରୁ ନେପାଳୀ ଟଙ୍କା ଏବଂ ବିମାନ ଟିକେଟ କରିବା ପାଇଁ କହିଥିଲେ ଆଉ ଏୟାରପୋର୍ଟ ମଧ୍ୟ ଛାଡିବାକୁ ଯାଇଥିଲେ ।
ସେ ଆହୁରି ମଧ୍ୟ କହିଥିଲେ, ମୋ ସ୍ତ୍ରୀ ଏବଂ ମୁଁ, ୪ ଭାରତୀୟଙ୍କ ସହିତ ବୀରଜଙ୍ଗରୁ କାଠମାଣ୍ଡୁ ଆସିବା ସମୟରେ ଏକାଠି ଥିଲୁ । ମାତ୍ର ୨ ଦିନରେ ଆମେ ଭଲ ବନ୍ଧୁ ହୋଇଯାଇଥିଲୁ । ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରେ ରହୁଥିବା ସୋନୁ ଜୟସଓ୍ଵାଲ ଅଜୟଙ୍କୁ କହିଥିଲେ, ସେମାନେ ଭଗବାନ ପଶୁପତିନାଥଙ୍କୁ ସ୍ୱପ୍ନରେ ଦେଖିଥିଲେ। ଏହି କାରଣ ଯୋଗୁଁ କାଠମାଣ୍ଡୁ ଦର୍ଶନ ପାଇଁ ଯାଇଥିଲେ । କାଠମାଣ୍ଡୁ ଯିବା ପରେ ସେ ପଶୁପତିନାଥ ମନ୍ଦିର, ସ୍ୱୟଂଭୁନାଥ ସ୍ତୁପ ଏବଂ ଭୁକୁଟି ମଣ୍ଡପରେ ଥିବା ଫନ୍ ପାର୍କ ଯାଇଥିଲେ ।
ଏହାଛଡା ପ୍ରଥମେ ସେମାନେ ବରଫସ୍ଥାନ ଦେଖିବାକୁ ଇଚ୍ଛା କରିଥିଲେ । କିନ୍ତୁ ପରେ ପାରାଗ୍ଲାଇଡିଂ କରିବା ସହିତ ପାହାଡ ଦେଖିବା ପାଇଁ ପୋଖରା ଯାଇଥିଲେ।
ସୂଚନାଯୋଗ୍ୟ, ନେପାଳ ଦୁର୍ଘଟଣାରେ ମରିଥିବା ୫ ଭାରତୀୟଙ୍କ ମଧ୍ୟରେ ଚାରିଜଣ ଗାଜିପୁରରେ ରହୁଥିଲେ। ସେମାନଙ୍କ ପରିବାର ଲୋକଙ୍କୁ ନେପାଳ ପଠାଯାଇଛି। ମୃତକଙ୍କ ଡିଏନଏ ଟେଷ୍ଟ କରାଯିବ। ଏହାପରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ସୂଚନାଯୋଗ୍ୟ, ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । ବିମାନଟି ରବିବାର ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ ଦୁର୍ଘଟଣା ହୋଇଛି ବୋଲି ଏୟାରଲାଇନ୍ସ କହିଛି।