ଅତିକ୍‌-ଅଶରଫ୍‌ଙ୍କୁ ଏଭଳି ହତ୍ୟା କରାଯିବା ନେଇ ରାଗିଲେ ନୀତୀଶ କୁମାର; ତେଜସ୍ୱୀ କହିଲେ, ଏହା ସ୍କ୍ରିପ୍ଟେଡ୍‌

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ଅଶରଫ୍‌ଙ୍କ ହତ୍ୟା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଗୁରୁତର ଅଭିଯୋଗ ଆଣିଛନ୍ତି।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ଅଶରଫ୍‌ଙ୍କ ହତ୍ୟା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ୟୁପି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଯଦି କେହି ଜେଲ୍‌ ଯିବେ, ତେବେ କ’ଣ ତାଙ୍କୁ ହତ୍ୟା କରାଯିବ’?

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମିଛ କୁହାଗଲା କି, ଅପରାଧୀମାନେ ମିଡିଆ ପ୍ରତିନିଧି ହୋଇ ଆସିଥିଲେ। କିଏ ଆସି ସେଠାରେ ଛିଡ଼ା ହେଲେ, ପୋଲିସ ତାହା ଦେଖିବା ଉଚିତ୍। ପୋଲିସ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ୍‌ ଥିଲା। ୟୁପି ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ବିଷୟରେ ଭାବିବା ଦରକାର। ନ୍ୟାୟାଳୟ ନ୍ୟାୟ ପ୍ରଦାନ କରିବା ପାଇଁ ଅଛନ୍ତି, ଅପରାଧୀମାନଙ୍କୁ ହତ୍ୟା କରିବା କୌଣସି ସମାଧାନ ନୁହେଁ’।

ନୀତୀଶ କୁମାର ଆହୁରି କହିଛନ୍ତି, ‘ଜେଲରୁ କାହାକୁ ଯାଞ୍ଚ ପାଇଁ ନେଇଯିବା ବେଳେ ହତ୍ୟା କରିବା ଦୁଃଖଦାୟକ। ଆମର ଏଠାରେ କେହି ଯେତେବେଳେ ଜେଲରୁ କୋର୍ଟ କିମ୍ବା କୌଣସି ସ୍ଥାନକୁ ଯାଆନ୍ତି, ତ ପୋଲିସ ସୁରକ୍ଷାରେ ରହିଥାଏ। ସେଠାକାର ସରକାରଙ୍କୁ ଏହିଭଳି ଘଟଣା ବିଷୟରେ ଚିନ୍ତା କରିବା ଉଚିତ୍। ଅପରାଧୀମାନଙ୍କୁ ହତ୍ୟା କରିଦେବେ, ଏହା କ’ଣ କୌଣସି ତରିକା? କୋର୍ଟ ଅପରାଧୀଙ୍କ ଦଣ୍ଡ ଉପରେ ନିଷ୍ପତ୍ତି ନିଅନ୍ତି। ଅପରାଧୀମାନଙ୍କୁ ଫାଶୀ ଦଣ୍ଡ ମଧ୍ୟ ମିଳିଥାଏ, କିନ୍ତୁ ଏହିପରି ହତ୍ୟା କରିବା ଭୁଲ’।

ସେପଟେ ତେଜସ୍ୱୀ ଯାଦବ ଅତିକ୍‌ ଓ ଅଶରଫ୍‌ଙ୍କ ହତ୍ୟା ସମ୍ପର୍କରେ କହିଛନ୍ତି ଯେ ‘ହତ୍ୟାକାରୀ … ହତ୍ୟାକାରୀ ହୋଇଥାଏ। ଏଥିରେ କୌଣସି ସହାନୁଭୂତି ରହିବା ଉଚିତ୍ ନୁହେଁ, କିନ୍ତୁ ଏହି ପ୍ରକାରେ କେହି ଯଦି ପୋଲିସ ହେପାଜତରେ ହତ୍ୟା କରେ, ତ ପ୍ରଶ୍ନ ଉଠାଇବା ଜରୁରୀ। ଏଥିରୁ ଲାଗୁଥିଲା ଯେ ଏହା ସ୍କ୍ରିପ୍ଟେଡ୍‌। ଅପରାଧୀମାନଙ୍କୁ ଶେଷ କରିବା ପାଇଁ ଏହା କୌଣସି ବାଟ ନୁହେଁ’।